ଜାନୁୟାରୀ ପହିଲାରେ ବିଶ୍ୱବ୍ୟାପୀ ପ୍ରାର୍ଥନା କରିବା ସହ ପ୍ରାର୍ଥନା ଦିବସ ଘୋଷଣା କରିବାକୁ ନିବେଦନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ସକାଳ ୬ ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଏକଘଣ୍ଟା ଧରି ସମୂହ ପ୍ରାର୍ଥନା କରିବା ତଥା ଏହି ଦିବସକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ଘୋଷଣା କିରବାକୁ ଶ୍ରୀ ମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ନିବେଦନ କରିଛନ୍ତି । ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମା କହିଛନ୍ତି ଯେ, ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ କରାଯାଉଥିବା ବେଳେ ପ୍ରାର୍ଥନା ଦିବସ ନାହିଁ । ପ୍ରାର୍ଥନାର ଶକ୍ତି ଅସୀମ, ସମୂହ ପ୍ରାର୍ଥନା ବିଶ୍ୱକୁ ବିଭିନ୍ନ ବିପତ୍ତିରୁ ରକ୍ଷା କରିବା ସହ ଶାନ୍ତି ସ୍ଥାପନରେ ସହାୟକ ହେବ । ଏଣୁ ଜାନୁୟାରୀ ୧ ତାରିଖ ସକାଳ ୬ ଘଟିକାରୁ ୭ ଘଟିକା ପର୍ଯ୍ୟନ୍ତ ଏକଘଣ୍ଟା ପାଇଁ ଭିନ୍ନ ଭିନ୍ନ ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ସମସ୍ତେ ନିଜ ନିଜ ଭାଷାରେ ନିଜର ଇଷ୍ଟଦେବଙ୍କୁ ପ୍ରାର୍ଥନା କରି ବିଶ୍ୱର ଶାନ୍ତି ଉଦ୍ଦେଶ୍ୟରେ ଗୁହାରି ଜଣାଇଲେ ଏହା ସମଗ୍ର ବିଶ୍ୱର ମଙ୍ଗଳ ସାଧିତ କରିବ । ଏ ନେଇ ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଗଠିତ ବିଶ୍ୱ ପ୍ରାର୍ଥନା ଦିବସ ସମିତି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବର୍ଗଙ୍କୁ ନିବେଦନ କରାଯାଇଥିବା ତଥା ପ୍ରଧାନମନ୍ତ୍ରୀ ଏ ଦିଗରେ ଉପଯୁକ୍ତ ସମୟରେ ଜାତିସଂଘ ସହ ଯୋଗାଯୋଗ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ଜାନୁୟାରୀ ୧ ତାରିଖରେ ଶ୍ରୀ ବଳଦେବଜୀଉଙ୍କ ତୁଳସୀକ୍ଷେତ୍ର ଓ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ପ୍ରାର୍ଥନାର ଆୟୋଜନ କରାଯାଇଛି । ସେଥିରେ ସମସ୍ତେ ସାମିଲ୍ ହେବାକୁ ସେ ନିବେଦନ କରିଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଶିବଚିଦାନନ୍ଦ ମହାରାଜ ଉପସ୍ଥିତ ରହି ପ୍ରାର୍ଥନାର ମହତ୍ତ୍ୱ ଓ ଶକ୍ତି ବିଷୟରେ ତାତ୍ତ୍ୱିକ ବିଶ୍ଲେଷଣ କରିଥିଲେ । ଅନ୍ୟତମ ବକ୍ତା ବିଶିଷ୍ଟ ସ୍ତମ୍ଭକାର ଓ ସାମ୍ବାଦିକ ଅରୁଣ ପଣ୍ଡା ମହୋଦୟ ପ୍ରାର୍ଥନା ଦିବସ ପାଳନର ଯଥାର୍ଥତା ବିଷୟରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଶତପଥୀ, ହେମନ୍ତ କୁମାର ପରିଡ଼ା, ଅଶୋକ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀର ପ୍ରାରମ୍ଭରେ ସମିତିର ସମ୍ପାଦକ ସଚ୍ଚିକାନ୍ତ ନାଥ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମାଜସେବୀ ମନୋରଞ୍ଜନ ମହାନ୍ତି ପ୍ରାର୍ଥନା ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶରତ କୁମାର ସାହୁ, ବିରଞ୍ôଚ ରାଉତ, ବ୍ରହ୍ମଚାରୀ ନୃସିଂହ ଦାସ, ସୁଶ୍ରୀ ଗାୟତ୍ରୀ ସ୍ୱାଇଁ, ପୁନମ ନାୟକ, ସୁସ୍ମିତା ବିଶ୍ୱାଳ, ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ