ଜିଲା ସ୍କୁଲର ଦୟନୀୟ ସ୍ଥିତି
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଗୌରବ ତଥା ଗରିମା ବୃଦ୍ଧିରେ ସହାୟକ ହୋଇ ଆସିଥିବା ବହୁ ପୁରାତନ ବିଦ୍ୟାଳୟ ‘ଜିଲା ସରକାରୀ ସ୍କୁଲ’ର ଦୟନୀୟ ସ୍ଥିତିକୁ ନେଇ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ସ୍କୁଲ ପରିଚାଳନା କମିଟି । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ସମ୍ପ୍ରତି ଛାତ୍ରଛାତ୍ରୀଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ୨୦୦୦ ମସିହାରୁ ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପାଇଁ ଆହୁରି ୧୫ ଜଣ ଶିକ୍ଷକ ଆବଶ୍ୟକ ଥିବା ସେମାନେ କହିଛନ୍ତି । ପ୍ରତ୍ୟେକ ଶ୍ରେଣୀର ୫ରୁ ଅଧିକ ସେକ୍ସନ ଥିବା ବେଳେ ଶିକ୍ଷକ ଅଭାବରୁ ବିଭିନ୍ନ ପିରିୟଡ଼ରେ ଛାତ୍ରଛାତ୍ରୀମାନେ କେବଳ ବସି ରହୁଛନ୍ତି । ସେହିଭଳି ବିଦ୍ୟାଳୟକୁ ହସ୍ତାନ୍ତର ହୋଇଥିବା ଖେଳ ପଡ଼ିଆ (ପୁରୁଣା ଷ୍ଟାଡିୟମ)ର ରେକର୍ଡ଼ ଅଦ୍ୟାବଧି ସ୍କୁଲ ନାମକୁ ପରିବର୍ତ୍ତନ ହୋଇ ନଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏବେ ସେହି ପଡ଼ିଆ ସଂଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳ ପାଲଟିଛି । ପଡ଼ିଆର କିଛି କିଛି ଅଂଶ ବି ଜବରଦଖଲକୁ ଚାଲି ଯାଉଥିବା ବିଦ୍ୟାଳୟ ପରିଚାଳନା କମିଟି କହିଛନ୍ତି । ବିଦ୍ୟାଳୟର ଦୟନୀୟ ସ୍ଥିତ ସମ୍ପର୍କରେ ପରିଚାଳନା କମିଟି ପୂର୍ବରୁ ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ ବି ଅଦ୍ୟାବଧି କୌଣସି ପ୍ରତିକାର ହୋଇ ନଥିବା କର୍ମକର୍ତ୍ତାମାନେ କହିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ ପାଇଁ କମିଟିର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ କମିଟି ସଭାପତି ସଞ୍ଜୀବ କୁମାର ମିଶ୍ର ଓ ଉପ-ସଭାପତି ଶିଖା ସ୍ୱାଇଁଙ୍କ ସମେତ ମାନସ କୁମାର ଦାସ, ଅନନ୍ତ ଚାନ୍ଦ, ଶେଖ ଅବଦୁଲ ବାରି, ଅଶୋକ ଦାସ, ଜିତେନ୍ଦ୍ର ବେହେରା, ମଞ୍ଜୁଳା ଦେ, ଗୀତାଞ୍ଜଳି ପାଢ଼ୀ, କାଞ୍ଜନ ଅଗସ୍ତି, ପୁଷ୍ପଲତା ମଲିକ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।


