ସାଗରିକା’ର ପୂଜା ବିଶେଷାଙ୍କ ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନଠାରେ ‘ସାଗରିକା’ ପୂଜା ବିଶେଷାଙ୍କ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଉପ-ସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ‘ସାଗରିକା’ର ସଂପାଦିକା ସୈରିନ୍ଧ୍ରୀ ସାହୁ ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ‘ସାଗରିକା’ର ନିରବଚ୍ଛିନ୍ନ ପ୍ରକାଶନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରକାଶକ ସୃଷ୍ଟିଧର ପରିଡ଼ା ଉଭୟ ଲେଖକ ଓ ପାଠକମାନଙ୍କର ସଦିଚ୍ଛା ତଥା ସହଯୋଗ ପାଇଁ ହିଁ ସାଗରିକା ଆଜି ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ବୋଲି କହିଥିଲେ । ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଓ ଗବେଷକ ଡ. ଭାଗବତ ପ୍ରସାଦ ଦାସ ଏଥିରେ ଯୋଗ ଦେଇ ପତ୍ରିକାଟିର ବଳିଷ୍ଠ ସଂପାଦନା ଓ ସ୍ଥାନିତ ଲେଖାଗୁଡ଼ିକ ସଂପର୍କରେ ସବିଶେଷ ସମୀକ୍ଷା କରିଥିଲେ । ଏହି ପତ୍ରିକାଟି ସର୍ବାଙ୍ଗ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିବା ବେଳେ ସଂପାଦକ ଦୀପକ ବୋଷ ପ୍ରାକ୍‌କଥା ରଖିଥିଲେ । ଅନ୍ୟତମ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଂଜନ ସାହୁ, ଅରୁଣା ରାୟ, ରାଜେଶ ଗିରି, ଡ. ଶିରୀଶ ଚନ୍ଦ୍ର ଜେନା, ପ୍ରଦୀପ ଚାଟ୍ଟାର୍ଜୀ, ଜ୍ୟୋତ୍ସ୍ନା ରାୟ, ବାସନ୍ତୀ ଦେ, କରୁଣାକର ସ, ଶରତ କୁମାର ମହାପାତ୍ର, ପଦ୍ମଲୋଚନ ଦତ୍ତ, ବାସନ୍ତୀ କର, ଶାନ୍ତିଲତା ପଣ୍ଡା, ସୁନାମଣି ଜେନା, ଦେବାଶିଷ ଚକ୍ରବର୍ତ୍ତୀ, ଯୋଗେଶ ଚନ୍ଦ୍ର ପ୍ରଧାନ, କମଳାକାନ୍ତ ଦାଶ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ