ଜିଲା ସ୍ୱାସ୍ଥ୍ୟ ବିଭାଗ ସହ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ନେଇ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସୁଜାତା ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ଚନ୍ଦ୍ର ସେନ ଜଗଦେବଙ୍କୁ ସାକ୍ଷାତ କରିଛନ୍ତି ବାଲେଶ୍ୱର ଜିଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ପ୍ରତିନିଧି ଦଳ । ସଂଗଠନର ସଭାପତି ଇଂ. ବନମାଳି ନାୟକ, ସମ୍ପାଦକ ବସନ୍ତ ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ସଂସ୍କୃତି ସମ୍ପାଦକ ସଚୀନ୍ଦ୍ର ଦାସ, ଉପଦେଷ୍ଟା ଡ. ତାରାକାନ୍ତ ନନ୍ଦ ପ୍ରମୁଖ ସାକ୍ଷାତ ଆଲୋଚନାରେ ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ସୌଜନ୍ୟମୂଳକ ଆଲୋଚନା ସହିତ ବରିଷ୍ଠ ନାଗରିକଙ୍କର ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଅଧୀକ୍ଷକ ପ୍ରଫେସର ମିଶ୍ର ଅତିଶୀଘ୍ର ଏହାର ସମାଧାନ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ସହିତ ଧାଡ଼ି ବ୍ୟବସ୍ଥା ଓ ଚିକିତ୍ସା ପ୍ରତି ଗୁରୁତ୍ୱ ଦେବା ନିମନ୍ତେ ଏକ ନିର୍ଦ୍ଦେଶନାମା ପ୍ରସ୍ତୁତ କରିଛନ୍ତି ବୋଲି ଜଣାଇଥିଲେ । ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ମଧ୍ୟ ହୋଇଥିବା ପ୍ରକାଶ କରିଥିଲେ । ସେହିଭଳି ମୁଖ୍ୟ ଚିକିତ୍ସାଧିକାରୀ ଡ. ଜଗଦୀପ ମଧ୍ୟ ବରିଷ୍ଠ ନାଗରିକଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ବୋଲି ପ୍ରକାଶ କରିବା ସହିତ ଚିକିତ୍ସା କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ସହିତ ପ୍ରଫେସର ଡା. ଅତନୁ ମହାନ୍ତି ଓ ଅନ୍ୟ ଚିକିତ୍ସାଧିକାରୀମାନେ ଉପସ୍ଥିତ ଥିଲେ ।


