ଜିଲ୍ଲାପାଳଙ୍କୁ ଚିଠିଲେଖିଲେ ବିଜେପି ନେତା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସୁନ୍ଦରାପାଳ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନରେ ଘୋର ଅବ୍ୟବସ୍ଥାକୁ ନେଇ ବିଜେପି ନେତା ଆଲୋକ ସେଠୀ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ହାଟଡିହି ବିଡିଓଙ୍କ ଚିଠିଲେଖି ଏହାର ସମାଧାନ ପାଇଁ ଦାବି କରିଛନ୍ତି । ଏହି ବିଦ୍ୟାଳୟରେ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ନଥିବାରୁ ବିଦ୍ୟାଳୟରେ ଠିକ ଭାବେ ଶିକ୍ଷାଦାନ ହୋଇପାରୁନି । ଏପରିକି ପ୍ରତିଦିନ ମାତ୍ର ଦୁଇ ତିନୋଟି କ୍ଲାସ ହେଉଥିବାବେଳେ ପିଲାମାନେ ଅବଶିଷ୍ଟ ସମୟ ବସି ବସି ଘରକୁ ଫେରୁଛନ୍ତି । ପ୍ରତ୍ୟେକ ବିଷୟରେ ଦୁଇଜଣ ଲେଖାଏଁ ଶିକ୍ଷକ ରହିବାକୁ ଥିବାବେଳେ ମାତ୍ର ତିନୋଟି ବିଷୟକୁ ଛାଡିଦେଲେ ଅନ୍ୟ ବିଷୟ ମାନଙ୍କରେ ଜଣେ ଲେଖାଏଁ ଶିକ୍ଷକ ଅଥିବାରୁ ଏପରି ଅବ୍ୟବସ୍ଥା ଦେଖା ଯାଉଛି । ୬ଷ୍ଠରୁ ଦଶମ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ୧୦ଟି ସେକ୍ସନ ପାଇଁ ପର୍ଯ୍ୟପ୍ତ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ଘୋର ବାଧା ଉପୁଜୁଛି । ସେହିପରି ହିନ୍ଦି ଶିକ୍ଷକ, ଖେଳ ଶିକ୍ଷକ, ମୁ୍ୟଜିକ ଶିକ୍ଷକ ନଥିବାରୁ ଏହି ସବୁ ବିଷୟର ଶିକ୍ଷାଦାନ ହୋଇପାରୁନି । ଏତତବ୍ୟତିତ ଚତୁର୍ଥଶ୍ରେଣୀ କର୍ମଚାରୀ, ରାତ୍ରୀ ଜଗୁଆଳି ନଥିବାରୁ ସ୍କୁଲ ପରିବେଶ ଅତ୍ୟନ୍ତ ଅରୁଚିକର ରହୁଛି । ଏଣୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷାବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି କରାଇବାକୁ ଶ୍ରୀଯୁକ୍ତ ସେଠୀ ଦାବି କରିଛନ୍ତି ।


