ଜିଲ୍ଲାସ୍ତରୀୟ ମକ୍‌ଡ୍ରିଲ ପ୍ରସ୍ତୁତି ବୈଠକ

ବାଲେଶ୍ୱର (ଓ୍ବାଇଏନ୍‌ଏସ୍‌): ମୌସୁମୀର ଆଗମନ ଏବଂ ବର୍ଷାଋତୁର ଆରମ୍ଭକୁ ଲକ୍ଷ୍ୟରେ ରଖି ଆଜି ପୂର୍ବାହ୍ନ ୯ଘଟିକା ସମୟରେ ସ୍ଥାନୀୟ ଓସୱାନ ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଏହି ବୈଠକରେ ଅଧ୍ୟକ୍ଷତା କରି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସମ୍ଭାବ୍ୟ ବନ୍ୟା, ବତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ପୂର୍ବ ପ୍ରସ୍ତୁତି କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଉପକୂଳବର୍ତୀ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଅନେକ କ୍ଷୟକ୍ଷତି ହେଉଥିବା ବେଳେ ଉପଯୁକ୍ତ ଯୋଜନା ପ୍ରସ୍ତୁତି ଦ୍ୱାରା ଧନଜୀବନର ସୁରକ୍ଷା ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ପୂର୍ବ ବର୍ଷ ଭଳି ଜିଲ୍ଲାର ବନ୍ୟା ଓ ବାତ୍ୟାପ୍ରବଣ ଅଂଚଳର ଲୋକମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ମୁକାବିଲାର ବିଭିନ୍ନ ଉପାୟ, ଅନୁସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା କାର୍ଯ୍ୟ ସମ୍ବନ୍ଧରେ ସଚେତନ କରିବା ପାଇଁ ଆସନ୍ତା ଜୁନ ୧୯ ତାରିଖରେ ଏକ ମକଡ୍ରିଲ ଲାଗି ଆଜିର ବୈଠକରେ ନିଷ୍ପତି ନିଆଯାଇଛି । ତେବେ କୋଭିଡ-୧୯ ସ୍ଥିତି ଓ ଏଥି ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ କରି ମକଡ୍ରିଲ ସମୟରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବିଶୋଧନ କାର୍ଯ୍ୟ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରେ ଅବସ୍ଥିତ ୧୪୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହେବ । ସେହିପରି ରେଡକ୍ରସ ଦ୍ୱାରା ପରିଚାଳିତ ୧୨ଟି କେନ୍ଦ୍ରରେ ମଧ୍ୟ ଏହା ଅନୁଷ୍ଠିତ ହେବ । ମକଡ୍ରିଲ ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଅବସ୍ଥା, ସେଠାରେ ଥିବା ଯନ୍ତ୍ରପାତିଗୁଡିକୁ ପରୀକ୍ଷାନିରୀକ୍ଷା କରି ଆବଶ୍ୟକୀୟ ଜରୁରୀ ସରଞ୍ଜାମ ଠିକ ଅଛି କି ନାହିଁ, ସେ ବାବଦରେ ସ୍ଥାନୀୟ ବି.ଡି.ଓ କିମ୍ବା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ସେଲ୍ଟର ସେକ୍ରେଟାରୀ ଓ ଅଗ୍ନିଶମ ଅଧିକାରୀ ଅବଗତ କରାଇବେ । ଯେଉଁ କେତେ ଗୋଟି ଆଶ୍ରୟସ୍ଥଳୀରେ ବର୍ତମାନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ କରୁଅଛି ତାହାକୁ ତୁରନ୍ତ ଖାଲି କରିବାକୁ ଜିଲ୍ଲାପାଳ ବି.ଡି.ଓ.ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମକଡ୍ରିଲ ପୂର୍ବରୁ ଏବଂ ପରେ ଆଶ୍ରୟସ୍ଥଳୀଗୁଡିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିବାକୁ ଦାୟିତ୍ୱରେ ଥିବା ଅଗ୍ନିଶମ ଅଧିକାରୀଙ୍କୁ କୁହାଯାଇଛି । ମକଡ୍ରିଲ ଅବସରରେ ନିଜର ପ୍ରସ୍ତୁତିକୁ ପରଖିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ମକଡ୍ରିଲ ପୂର୍ବରୁ ଉପକରଣ ମରାମତି ଜନିତ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ନିର୍ଦ୍ଦେଶ ଦେଇଥିଲେ । ମକଡ୍ରିଲରେ ଗ୍ରାମବାସୀମାନେ ଭାଗନେବାକୁ ଥିବା ବେଳେ ସ୍ଥାନୀୟ ତହସିଲଦାର, ବି.ଡି.ଓ. ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଏହାର ତଦାରଖ କରିବେ । ପାଣିପାଗ ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ କିଭଳି ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯିବ ଏବଂ ବିପଦ ସମୟରେ ଉଦ୍ଧାର କାର୍ଯ୍ୟକୁ ସୁସଂଗଠିତ କରି ଲୋକମାନଙ୍କୁ ପ୍ରାଥମିକ ସୂଚନା ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବିସ୍ଥାପନ ସମୟରେ ପ୍ରଥମେ ମାନବସମ୍ବଳକୁ ସୁରକ୍ଷା ଏବଂ ଧନଜୀବନର ରକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ବୃଦ୍ଧ-ବୃଦ୍ଧା ଏବଂ ଶିଶୁମାନଙ୍କୁ ଉଦ୍ଧାର କାର୍ଯ୍ୟ ସମୟରେ ପ୍ରାଥମିକତା ଦିଆଯିବ । ବୈଠକରେ ବିଭିନ୍ନ ପଂଚାୟତର ସରପଂଚ ଏବଂ ଆଶ୍ରୟସ୍ଥଳୀ ସମ୍ପାଦକମାନେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ହରିଶ ଚନ୍ଦ୍ର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ସି.ଡି.ଏମ.ଓ. ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିବା ବେଳେ ବିଭିନ୍ନ ବ୍ଲକର ବି.ଡି.ଓ., ତହସିଲଦାର ତଥା ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏନ.ଡି.ଆର.ଏଫ., ଓଡ୍ରାଫ, ବିଭିନ୍ନ ଏନ.ଜି.ଓ. ଏବଂ ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ଦାୟିତ୍ୱରେ ଥିବା କମ୍ୟୁନିଟି ମୋବିଲାଇଜରମାନେ ବୈଠକରେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ । ଓସଡାମା ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ ମକଡ୍ରିଲର ବିଭିନ୍ନ ଦିଗ, ଟେବୁଲ ଟପ ଏକ୍ସରସାଇଜ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୂଚନା ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟର ପରିଚାଳନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ