ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ କରାଯାଉ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ କରାଯିବାକୁ ଶିକ୍ଷାବିତ,ବୁଦ୍ଧିଜିବି ଓ ସମାଜସେବୀମାନେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ରାଷ୍ଟ୍ରପିତା ଗାନ୍ଧିଜୀଙ୍କ ଜନ୍ମଦିବସ, ଗାନ୍ଧୀ ଜୟନ୍ତୀ ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟି ଘୋଷଣା ହେବା ପରେ ମଧ୍ୟ ଆଜି ଓଡିଶାର ନୂଆ ପରିଚୟ ପାଇଁ ଆକାଶ ଛୁଆଁ ଗାନ୍ଧୀ ସ୍ମୃତିସ୍ତମ୍ବ ନିର୍ମାଣ ହେବାକୁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ଷକୁ ୪ଥର ଛାଡିଦେଲେ ଗାନ୍ଧୀଙ୍କ ସ୍ମୃତିସ୍ତମ୍ବ ଛୋଟ, ବଡ ଏବଂ ଅଲୋଡା ହୋଇପଡେ । ସଦ୍ୟ ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅସୁରକ୍ଷିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ଫଳକ ପ୍ରତି ବିଭାଗୀୟ ଉଦାସୀନତାକୁ ଏକ ନିଆରା ଢଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେତେକ ଶିକ୍ଷକ ଓ ସାମାଜିକକର୍ମୀ । ସେମାନେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ଓ ସେହି ମୂର୍ତ୍ତି ଉପରେ ଛାତ ପକାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅନୁମତି ମାଗିଥିଲେ । କିନ୍ତୁ ର୍ଦୁଭାଗ୍ୟର କଥା ଅଧିକାରୀ ଏଥିପ୍ରତି ସମ୍ବେଦନଶୀଳ ହେଲେନାହିଁ କିମ୍ବା ଅନ୍ୟ ବିଭାଗ ଦ୍ୱାରା ସେହି କାର୍ଯ୍ୟ କରାଇବାକୁ ସାମାନ୍ୟ ଚେଷ୍ଟା ମଧ୍ୟ କଲେନାହିଁ । ଅତ୍ୟନ୍ତ ପରିତାପର ବିଷୟ ଆଜି ଭଳି ପବିତ୍ର ଦିବସରେ ସେହି ମୂର୍ତ୍ତି ରେ ଦିନ ପ୍ରାୟ ସାଢେ ୧୦ଟା ସମୟରେ କାର୍ଯ୍ୟାଳୟର ବଡବାବୁ ଜଣଙ୍କ ମୂର୍ତ୍ତିକୁ ପାଉନଥିବା ଛୋଟ ଗେଣ୍ଡୁମାଳ ଟିଏ ତରତରରେ ପକାଇଦେଇ ପଳାଇଯାଇଥିଲେ । ଜାତିର ପିତାଙ୍କ ପ୍ରତି ଏକ ସରକାରୀ କାର୍ଯ୍ୟାଳୟ ପରିସରରେ ଉଚିତ ସମ୍ମାନ ପ୍ରଦର୍ଶନ କରାନଯିବା ଅତ୍ୟନ୍ତ ଦୁଃଖ ଆଉ ପରିତାପର ବିଷୟ । ବିଶେଷ ଭାବେ ଜିଲ୍ଲା ସ୍କାଉଟ କାର୍ଯ୍ୟାଳୟ ନିକଟରେ ଥିବା ଏହି ପ୍ରତିମୂର୍ତ୍ତିରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜୋତା ପିନ୍ଧି ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ଘଟଣା ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି ଅଭିଯୋଗ ହୋଇଛି । ସେହି ମୂର୍ତ୍ତି ଉପରେ ଛାତ ନଥିବାରୁ ବର୍ଷା, ଖରା ଓ କାକରରେ ମୂର୍ତ୍ତିରୁ ରଙ୍ଗ ଛାଡିବା, ପକ୍ଷୀମାନେ ମଳତ୍ୟାଗ କରିବା ଭଳି ଘଟଣା ଘଟୁଛି । ତେଣୁ ସେହି ଗାନ୍ଧୀଙ୍କ ମୂର୍ତ୍ତି ଉପରେ ତୁରନ୍ତ ସ୍ଥାୟୀ ଛାତ ପକାଯିବାର ଆବଶ୍ୟକତା ରହିଛି । ସେହିଭଳି କେନ୍ଦ୍ରାପଡାର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସୁରକ୍ଷା ପ୍ରାଚୀର ନିକଟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନଥିବା ହେତୁ ଏକାପ୍ରକାର ସମସ୍ୟା ଦେଖାଦେଇଛି । ଏଥିପ୍ରତି କଲେଜ ଅଧ୍ୟକ୍ଷ ଗଙ୍ଗାଧର ସାହୁ ଦୃଷ୍ଟିଦେବା ବଦଳରେ ତାଙ୍କ ପୂର୍ବରୁ ଏହି ମୂର୍ତ୍ତି ନିର୍ମାଣ ହୋଇ ଏଭଳି ଅବସ୍ଥାରେ ଥିବା କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଏବଂ ଗାନ୍ଧୀ ସ୍ମୃତି ସୁରକ୍ଷା ସମିତି ଅଧ୍ୟକ୍ଷ ତଥା ବିଧାୟକ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେବା ସହିତ ନୂତନ ମୂର୍ତ୍ତି ସ୍ଥାପନ ନିମନ୍ତେ ନୂଆ ଗାଇଡ ଲାଇନ ପ୍ରସ୍ତୁତ କରାଯିବାକୁ ଶିକ୍ଷାବୀତ ନଳିନୀ ପୃଷ୍ଟି ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ