ଜୀବନର ମୂଲ୍ୟ

ନିଜ ସ୍ୱାର୍ଥ ପାଇଁ ମଣିଷ ସବୁଥିରେ ହିସାବ କରେ । ଅନ୍ୟ ଜିନିଷର ମୂଲ୍ୟ ଜାଣିବାକୁ ଚେଷ୍ଟା କରେ । ଏପରିକି ମଣିଷ ସମ୍ପର୍କରେ ମଧ୍ୟ ସୌଦା କରେ । ହେଲେ କେବେ ନିଜ ଜୀବନର ମୂଲ୍ୟ ଉପରେ ବିଚାର କରେ ନାହିଁ । ସେ ଜାଣିବାକୁ ଚେଷ୍ଟା କରେନି ତା’ ଜୀବନର ଦାମ କେତେ । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ମଣିଷ ଜୀବନର ମୂଲ୍ୟ କେତେ । ଏକଦା ଗୁରୁକୂଳରେ ଗୁରୁ ଜୀବନ ଉପରେ ଶିକ୍ଷା ଦେଉଥିଲେ । ସେହି ସମୟରେ ଜଣେ ଶିଷ୍ୟ ଜୀବନର ମୂଲ୍ୟ ବିଷୟରେ ପଚାରିଲେ । ଏହାର ମୂଲ୍ୟାଙ୍କନ କିପରି କରିହେବ ତାହା ପ୍ରଶ୍ନ କଲେ । ଏହା ଶୁଣି ଗୁରୁ ଶିଷ୍ୟଙ୍କୁ ଏକ ଚକ୍ଚକ୍ କରୁଥିବା ପଥରଟି ଦେଲେ ।ଏହି ପଥରକୁ ଦେଇ ଏହାର ମୂଲ୍ୟ ଖୋଜିବାକୁ କହିଲେ । ଏଥିସହ ଯେପରି ପଥରଟି କାହାକୁ ବିକ୍ରି କରିବ ନାହିଁ ବୋଲି କହିଲେ । ଶିଷ୍ୟଟି ପଥରକୁ ନେଇ ପ୍ରଥମେ ବଜାରକୁ ଗଲେ । ଏକ ଫଳ ବେପାରୀକୁ ଭେଟି ପଥରର ମୂଲ୍ୟ ବିଷୟରେ ପଚାରିଲା । ଫଳ ବେପାରୀଟି ପଥର ଦେଖି ଉତ୍ତରରେ ଦୁଇ କିଲୋ ଫଳ ନେଇ ପଥର ଦେଇଦେବାକୁ କହିଲା । ଶିଷ୍ୟଟି ଆଗକୁ ଯାଇ ଜଣେ ପରିବା ବିକାଳିଙ୍କୁ ପଥରଟି ଦେଖାଇଲା ଏବଂ ଏହାର ମୂଲ୍ୟ ସମ୍ପର୍କରେ ପଚାରିଲା । ପରିବା ବିକାଳିଟି ପଥର ବଦଳରେ ଏକ ବସ୍ତା ପରିବା ନେଇଯିବାକୁ ପ୍ରସ୍ତାବ ଦେଲା । ଆଗକୁ ଯାଇ ଶିଷ୍ୟଟି ସୁନା ବଣିଆ ପାଖକୁ ଯାଇ ପହଞ୍ଚିଲା । ବଣିଆଟି ପଥର ଦେଖି ୫୦ ଲକ୍ଷରେ ମୋତେ ବିକି ଦିଅ ବୋଲି କହିଲେ । ଶିଷ୍ୟ ଏହା ଶୁଣି ମନା କରିଦେଲା । ଏହା ପରେ ବଣିଆଟି ୧ କୋଟି ଦେବା ସହ ଅନ୍ୟ ଯାହା ବି ଦରକାର ତାହା ଦେବାକୁ ବି ପ୍ରସ୍ତୁତ ହୋଇଗଲା ଏହା ଶୁଣି ଶିଷ୍ୟ କ୍ଷମା ପ୍ରାର୍ଥନା କଲେ ଏବଂ ମୋ ଗୁରୁ ଏହାକୁ ବିକ୍ରି କରିବାକୁ ମନା କରିଛନ୍ତି ବୋଲି କହିଲା । ଆଗକୁ ଶିଷ୍ୟଟି ବଡ଼ ହୀରା ଅଳଙ୍କାର ବେପାରୀ ପାଖକୁ ଯାଇ ଚକମକ କରୁଥିବା ପଥରକୁ ଦେଖାଇଲା । ହୀରା ବେପାରୀଟି ପଥରକୁ ଦେଖି ସଙ୍ଗେ ସଙ୍ଗେ ଜାଣିଦେଲା ଯେ ଏହା ବହୁ ମୂଲ୍ୟବାନ୍ ରୁବି । ହୀରା ବେପାରୀ ଜଣଙ୍କ ଏକ ମୂଲ୍ୟବାନ ରୁବିକୁ ଜାଣିପାରି ଏହା ଖୁବ ମୂଲ୍ୟବାନ ଏହା ଆଗରେ କୋଟି ଟଙ୍କା ମଧ୍ୟ କମ୍ । ଏହାକୁ କେଉଁଠୁ ପାଇଲୁ ବୋଲି ପ୍ରଶ୍ନ କରିଥିଲେ । ଶିଷ୍ୟଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ସିଧା ଗୁରୁଙ୍କ ପାଖକୁ ଯାଇ ସବୁକଥା କହିଲେ । ଆଉ ଜୀବନର ମୂଲ୍ୟ କ’ଣ ଏହା ସମ୍ପର୍କରେ କହିବାକୁ ଲାଗିଲା । ଗୁରୁ ଉତ୍ତରରେ କହିଥିଲେ ଫଳ ବେପାରୀଟି ପଥରଟିର ମୂଲ୍ୟ ୨ କିଲୋ ଫଳ କହିଥିବାବେଳେ ପରିବା ବିକାଳିଟି ଏହାର ମୂଲ୍ୟ ଏକ ବସ୍ତା ପରିବା କହିଥିଲେ । ସୁନା ବଣିଆଟି ପଥରର ମୂଲ୍ୟ ଏକ କୋଟି କହିବାବେଳେ ହୀରା ବିକାଳିଟି ଏହାର ମୂଲ୍ୟ ଅଧିକ ବୋଲି କହିଥିଲେ । ମାନବ ଜୀବନର ମୂଲ୍ୟ ଠିକ୍ ସେହିପରି ବୋଲି ଗୁରୁ କହିଥିଲେ । ତୁମେ ହୀରା ସମାନର ହୋଇଥିଲେ ମଧ୍ୟ ସମ୍ମୁଖରେ ଥିବା ବ୍ୟକ୍ତି ତୁମର ମୂଲ୍ୟ ନିଜ କ୍ଷମତା ବୁଦ୍ଧି ଅନୁସାରେ ହିସାବ ଲଗାଇବେ ବୋଲି ଗୁରୁ ଉତ୍ତର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ