ଜୟଦେବକସବା ପାହିରେ ଜିଲାସ୍ତରୀୟ ସୁନାମୀ ମକଡ୍ରିଲ

ବାଲେଶ୍ୱର, (ସରୋଜ ପଣ୍ଡା) : ସଦର ବ୍ଲକ ଅନ୍ତର୍ଗତ ଜୟଦେବକସବା ପାହିସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ଜିଲାସ୍ତରୀୟ ସୁନାମୀ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଜିଲାର ୫ଟି ସୁନାମୀପ୍ରବଣ ବ୍ଲକ ବାଲିଆପାଳ, ବାହାନଗା, ଭୋଗରାଇ, ରେମୁଣା ଓ ବାଲେଶ୍ୱର ସଦରର ୧୫ଟି ସ୍ଥାନରେ ମଧ୍ୟ ଏହି ମକଡ୍ରିଲ ଆୟୋଜିତ ହୋଇଥିଲା । ହାଇଦ୍ରାବାଦର ‘ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫରମେସନ ସର୍ଭିସେସ’ (ଇନକଏସ), ସହଯୋଗରେ ଆୟୋଜିତ ଏହି ମକଡ୍ରିଲରେ ସୁନାମୀ ବିପର୍ଯ୍ୟୟ ମୁକାବିଲା ପ୍ରାକ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ଏବଂ ଆକଳନ କରାଯାଇଥିଲା । “ଇନକଏସ” ପକ୍ଷରୁ ଡମି ସତର୍କ ସନ୍ଦେଶ ମିଳିବା ପରେ ସ୍ଥାନୀୟ ଲୋକମାନଙ୍କୁ ପୂର୍ବରୁ ସ୍ଥିରୀକୃତ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ ସହ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ସୁନାମୀ ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଜନସାଧାରଣ କିପରି ନିଜ ହାତପାଆନ୍ତାରେ ଥିବା ବିଭିନ୍ନ ଉପକରଣକୁ ବ୍ୟବହାର କରି ଧନଜୀବନ, ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିବେ ସେ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା । ସେହିପରି ଆସନ୍ନପ୍ରସବା, ପ୍ରସୂତି ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଏହି ସମୟରେ କିଭଳି ଉପଯୁକ୍ତ ଯତ୍ନ ନିଆଯାଇ ସେମାନଙ୍କୁ ସୁରକ୍ଷିତ ଭାବେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇପାରିବ ସେ ସମ୍ପର୍କିତ କୌଶଳ ପ୍ରଦର୍ଶନ କରାଯାଇଥିଲା । ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିବା ସହିତ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ । ଜିଲ୍ଲାସ୍ତରୀୟ ମକଡ୍ରିଲ କାର୍ଯ୍ୟକ୍ରମରେ ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ସଦର ବ୍ଲକ ବିଡିଓ ନରେନ୍ଦ୍ର ଖମାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସମ୍ପର୍କ”ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଓସଡାମା ଜିଲା ପ୍ରକଳ୍ପ ସଂଯୋଜକ ଅବନୀକାନ୍ତ ଭୂୟାଁ, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ