ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଆଦିବାସୀ ପଲ୍ଲୀ ଶ୍ରଦ୍ଧା, ଭକ୍ତିର ସହ ପୂଜିଲେ ବନବାସୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) :ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଅଗମ୍ୟ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ବନବାସୀମାନେ ଏକତ୍ରିତ ହୋଇ ଦୀପଜାଳି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଭକ୍ତି, ଶ୍ରଦ୍ଧା ଓ ଭାବରେ ପୂଜାର୍ଚ୍ଚନା କରିଥିଲେ । ହରିବୋଲ, ହୁଳହୁଳି ଓ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପରିବେଶ । ଅନୁଭୂତ ହେଉଥିଲା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ । ବାରି ହେଉଥିଲା ଅଫୁରନ୍ତ ଆନନ୍ଦ ଆଉ ଉତ୍ସାହ । ଭକ୍ତିରେ ଉଛୁଳି ପଡୁଥିଲା ଆଦିବାସୀ ପଲ୍ଲୀ । ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ବୁଲ୍ସଆଇ’ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସାମାଜିକ କର୍ମୀ ସୁଶାନ୍ତ ସାହୁ, ସରୋଜକାନ୍ତ ଦାସ, ଚମନ ଦାସ, ଅମୃତା ମହାନ୍ତି, ହିନ୍ଦୁ ଜନଜାଗରଣ ମଞ୍ଚ, ଖୋର୍ଦ୍ଧା ଶାଖାର ଆଶିଷ୍ ବିଦୁରେନ୍ଦ୍ର ଛୋଟରାୟ ପ୍ରମୁଖ ଯୋଗଦେଇ ଭାରତବର୍ଷ ଇତିହାସରେ ଏହା ଏକ ବିରଳ ଐତିହାସିକ ମୁହୂର୍ତ୍ତ ଓ ଶ୍ରୀରାମ ମନ୍ଦିର ଇତିହାସରେ ଯୋଡ଼ି ହୋଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଯୋଗଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ ।


