ଝୁଲନ୍ତା ବିଦ୍ୟୁତ୍ ତାର ମରାମତି, ନୂତନ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ଦାବୀ କଲେ ଉପଭୋକ୍ତା

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ତଥା ବନ୍ତ ନେସ୍କୋ ବିଭାଗ ଅଧିନ ମଙ୍ଗୁଲି ଗ୍ରାମରେ ହାତପାହାନ୍ତାରେ ଯାଇଥିବା ବିଦ୍ୟୁତ୍ ତାର ଲୋକ ମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି । ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ସବ୍‌ଷ୍ଟେସନର ବିଭିନ୍ନ ଯନ୍ତ୍ରାଂଶ କାର୍ଯ୍ୟ କରୁନଥିବା ବେଳେ ନୂତନ ଭାବେ ବସାଯାଇଥିବା ଅନ୍ୟ ଏକ ଟ୍ରାନ୍ସଫର୍ମରକୁ କାର୍ଯ୍ୟକ୍ଷମ କରାଯାଉନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ମଙ୍ଗୁଲି ବ୍ରାହ୍ମଣ ସାହି ଠାରେ ୬୩କେଭି କ୍ଷମତାସଂପନ୍ନ ଏକ ଟ୍ରାନ୍ସଫର୍ମର ବସାଯାଇଛି । ଏହା ଅଧିନରେ ପ୍ରାୟ ୧୫୦ ଜଣ ଉପଭୋକ୍ତା ରହିଛନ୍ତି । ଉକ୍ତ ଟ୍ରାନ୍ସଫର୍ମରକୁ ସଂଯୋଗ କରୁଥିବା ୧୧କେ.ଭି ତାର ହାତ ପାହାନ୍ତରେ ଯାଇଛି । ଖୁଣ୍ଟ ସଂଖ୍ୟା କମ୍ ଥିବାରୁ ତାର ଗୁଡିକ ଝୁଲନ୍ତା ଅବସ୍ଥାରେ ରହିଛି । ଗୋରୁ, ଗାଈ, ମଣିଷ, ଯାନବାହାନ ଯାତାୟତରେ ସମସ୍ୟା ଦେଖାଯାଉଛି । ପୂର୍ବରୁ ଏହି ୧୧କେ.ଭି ତାର ଦ୍ୱାରା ଜଙ୍ଗଲରେ ନିଆଁ ଲାଗିବା ସହ ଏକ ଟ୍ରକରେ ନିଆଁ ଲାଗି ଥିଲା । ଗ୍ରାମରେ ଆଉ ଗୋଟିଏ ଟ୍ରାନ୍ସଫର୍ମର ବସିଥିବା ବେଳେ ଏହାକୁ ଅଦ୍ୟାବଧି କାର୍ଯ୍ୟକ୍ଷମ କରାଯାଉନାହିଁ । ଫଳରେ ପୁରୁଣା ଟ୍ରାନ୍ସଫର୍ମର ଉପରେ ଅଧିକ ଲୋଡ୍ ପଡୁଛି । ବହୁ ସମୟରେ ଫିଉଜ୍ ଯାଉଥିବାରୁ ଲୋକ ମାନେ ସମସ୍ୟାରେ ପଡୁଛନ୍ତି । ସେହିପରି ଉକ୍ତ ସବ୍‌ଷ୍ଟେସନର ଏୟାର ବ୍ରେକ୍ ସୁଇଜ୍ କାମ କରୁନାହିଁ । ୨୦ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ସବ୍ ଷ୍ଟେସନରେ ଯନ୍ତ୍ରାଂଶ ଗୁଡିକ କାର୍ଯ୍ୟ କରୁନାହିଁ । ସେହିପରି ଏଲ୍‌.ଟି.କରେଣ୍ଟ ମଧ୍ୟ ଝୁଲନ୍ତା ଅବସ୍ଥାରେ ରହିଛି । ଉକ୍ତ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ସମାଧାନ କରିବାକୁ ଗ୍ରାମର ନାରାୟଣ ଦାଶ, ବଳରାମ କର, ପ୍ରତାପ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ସଞ୍ଜୟ ଦାଶ, ଅକ୍ଷୟ ଦାଶ, ଚନ୍ଦନ ପତିଙ୍କ ସମେତ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ