ଟଙ୍କା ବଦଳରେ ନେଗେଟିଭ ରିପୋର୍ଟ
ମେରଠ: ଉତ୍ତର ପ୍ରଦେଶର ମେରଠ କରୋନା ହଟସ୍ପଟ ସାଜିଥିବା ବେଳେ ଏଠାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମେରଠରେ ଥିବା ଏକ ଘରୋଇ ନର୍ସିଂ ହୋମ୍ ୨,୫୦୦ ଟଙ୍କା ବଦଳରେ ରୋଗୀମାନଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଏକ ଘଟଣା ସାମ୍ନାକୁ ଆସିଥିଲା । ଭିଡିଓରେ କିଛି ଲୋକ ନର୍ସିଂହୋମର କର୍ମଚାରୀଙ୍କୁ ତାଙ୍କର କରୋନା ନେଗେଟିଭ ରିପୋର୍ଟ ମାଗିବା ସହ ୨୦୦୦ ଟଙ୍କା ଦେଇଥିଲେ । ବଳକା ୫୦୦ ଟଙ୍କା ରିପୋର୍ଟ ମିଳିବା ପରେ ଦେବେ କହିଥିଲେ । ୨୫୦୦ ଟଙ୍କା ଦେଲେ ସମସ୍ତଙ୍କୁ ନେଗେଟିଭ ରିପୋର୍ଟ ମିଳିବ ବୋଲି ନର୍ସିଂ ହୋମ୍ କର୍ମଚାରୀ କହୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ଏଭଳି ଅଭିଯୋଗ ଆସିବା ପରେ ନର୍ସିଂହୋମକୁ ସିଲ କରି ଦିଆଯାଇଛି । ନର୍ସିଂହୋମର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି । ଏହାର ମାଲିକଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ମେରଠ ମୁଖ୍ୟ ମେଡିକାଲ ଅଧିକାରୀ ଘଟଣାର ସବିଶେଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନର୍ସିଂହୋମ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେରଠ ଜିଲ୍ଲା ଅଧିକାରୀ ଅନିଲ ଧିଙ୍ଗରା କହିଛନ୍ତି । କରୋନା ରୋଗୀଙ୍କୁ ନେଗେଟିଭ ଦର୍ଶାଇ ଶଯ୍ୟା ଖାଲି କଲେ ନୂଆ ରୋଗୀଙ୍କ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଏଭଳି କରାଯାଉଥିଲା ବୋଲି କୁହାଯାଉଛି ।


