ଟ୍ରାକ୍ଟରରେ ଯାଇ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇଲେ ସିଡିଓ
ଛତ୍ରପୁର, (ଓ୍ବାଇଏନଏସ): ବନ୍ୟା ବିପତ୍ତିରେ ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ପ୍ରଶାସନିକ ଦାୟିତ୍ୱ ସହ ମାନବିକତାର ନିଦର୍ଶନ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ ) ସମୀର କୁମାର ଜେନା। ନିଜେ ଟ୍ରାକ୍ଟରରେ ଚଢ଼ି ବନ୍ୟା ପ୍ରଭାବିତ ଗାଁଗୁଡ଼ିକରେ ପହଞ୍ଚି ବିପନ୍ନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ସୂଚନା ଅନୁଯାୟୀ, ଆସିକା ଅଞ୍ଚଳରେ ଗତ ତିନି ଦିନ ଧରି ସେ ଗାଁକୁ ଗାଁ ବୁଲି ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି। ଯେଉଁଠି ଯାନବାହନ ପହଞ୍ଚିବା କଷ୍ଟକର, ସେଠାରେ ଟ୍ରାକ୍ଟର ଯୋଗେ ଯାଇ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଉଛନ୍ତି। ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ପ୍ରଶାସନିକ ଦାୟିତ୍ୱର ପରିଚୟ।


