ଠିକାଦାରଙ୍କ ଫାଇନାଲ ବିଲ ବନ୍ଦ ହେବ: ବିଭାଗୀୟ ଯନ୍ତ୍ରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :୭୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଗୋବରୀ ବାଇପାସ ରାସ୍ତା ପାଶ୍ୱର୍ ଗୋବରୀ ନଦୀ ବନ୍ଧରେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ତାହା ଉଦ୍ଘାଟନ ଅପେକ୍ଷାରେ ରହିଛି । କିନ୍ତୁ କାମ ଏତେ ନିମ୍ନମାନର ହୋଇଛି ଯେ ଏହି ବର୍ଷାରେ ତାହା ଧୋଇ ହୋଇଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ସହରର ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି ଜନସାଧାରଣଙ୍କ ଟିକସ ଅର୍ଥରେ ଏହି ନିର୍ମାଣ କାର୍ଯ୍ୟ କରାଗଲା । ହେଲେ କାମ କେଉଁ ଢଙ୍ଗରେ ହେଲା ତାହାକୁ କେହି ତର୍ଜମା କଲେ ନାହିଁ । ଯାହା ଫଳରେ ବର୍ଷାରେ କାମ ଧୋଇଗଲା । ତେଣୁ ଠିକା ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବା ନିତ୍ୟାନ୍ତ ଆବଶ୍ୟକ । ଏଭଳି ହେଲେ ଅନ୍ୟ ଠିକାଦାରମାନେ ଉଚିତ ଶିକ୍ଷା ପାଇପାରିବେ । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନ୍ୟ ଠିକାଦାରମାନଙ୍କ ସାହସ ବଢିବ ଏବଂ ସେମାନେ ମଧ୍ୟ ନିମ୍ନମାନର କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, ମୁଁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବି । ନିମ୍ନମାନର କାର୍ଯ୍ୟ ହୋଇଥିବା ପମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ଠିକାଦାରଙ୍କ ଫାଇନାଲ ବିଲ୍ ହୋଇନାହିଁ । ତେଣୁ ନିମ୍ନମାନର କାର୍ଯ୍ୟ କରିଥିଲେ ବିଲ୍ ବନ୍ଦ କରାଯିବ ।


