ଡଅଁର ପଞ୍ଚାୟତରେ ଲୋକାୟୁକ୍ତ ଟିମର ତଦନ୍ତ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ଲୋକାୟୁକ୍ତ ଟିମ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହି ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ପୁର୍ବତନ ସରପଞ୍ଚ ହିସି ହେମ୍ରମ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ପଞ୍ଚାୟତରେ ଭତ୍ତା, ଏସଏଫସି, ସିଏଫସି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନୁଦାନରେ ଆତ୍ମସାତ ହୋଇଥିବା ନେଇ ସେ ଅଭିଯୋଗ କରିବାପରେ କେସନଂ ଏଲୱାଇ ୭୫୮/୨୦୨୧ରେ ମାମଲା ରୁଜୁ ହେବାସହ ଏଥିରେ ସେ ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଏହାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ପକ୍ଷରୁ ଏକ ଟିମ ନିଯୁକ୍ତ କରାଯାଇଥିଲା । ଚିଠିନଂ-୬୬୯୯ ଓ ୬୭୦୧ ତା ୩୦/୦୮/୨୦୨୨ରେ ପୁର୍ବତନ ପିଇଓ ରମେଶ ମାଝୀ, ପୁର୍ବତନ ଜିଆରଏସ ବିନୟ କୁମାର ମଲ୍ଲିକଙ୍କୁ ବିଡିଓଙ୍କ ଜରିଆରେ ନୋଟିସ ଜାରି କରାଯାଇଥିଲା । ଆଜି ଏହାର ତଦନ୍ତ କରାଯିବା ସହ ତଦନ୍ତ ସମୟରେ ଉଭୟ ପିଇଓ ଏବଂ ଜିଆରଏସଙ୍କ ବୟାନ ରେକର୍ଡ କରାଯିବ ବୋଲି ନୋଟିରେ ଉଲେଖ ରହିଥିଲା । ଆଜି ଲୋକାୟୁକ୍ତଙ୍କ ଇନକ୍ୱାରୀ ଉଇଙ୍ଗର ଶସ୍ମିତା ଲେଙ୍କା (ଡେପୁଟି ଡାଇରେକ୍ଟର ଅଫ ଫରେଷ୍ଟ) ଓ ସୁନିଲ ପଟ୍ଟନାୟକ ହାଟଡିହି ବ୍ଲକରେ ପହଞ୍ଚିବାପରେ ବିଡିଓ ବିଚିତ୍ର କୁମାର କରଙ୍କୁ ସାଙ୍ଗରେ ନେଇ ଡଅଁର ପଞ୍ଚାୟତକୁ ଯାଇ ପଞ୍ଚାୟତର ଏସଏଫସି, ସିଏଫସି କାର୍ଯ୍ୟ ଗୁଡିକ ଦେଖିବାସହ ଏହାର ରେକଡପତ୍ର ଯାଞ୍ଚ କରିଥିଲେ । ସେହିପରି ଚଷାଖଣ୍ଡ, ସରଳା, ଡଅଁର ଗାଁକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ହିତାଧିକରାରୀଙ୍କ ଘରଗୁଡିକ ଦେଖିବାସହ ହିତାଧିକାରୀଙ୍କ ଠାରୁ ବୟାନ ଲିପିବଦ୍ଧ କରିଥିଲେ । ବିଶେଷକରି କିଛି ଲୋକଙ୍କୁ ସର୍ଟ ନାମରେ ଘର ମଞ୍ଜୁର ହୋଇଥିବାରୁ ସେହି ଘର ଗୁଡିକୁ ତଦାରଖ କରି ଏହାର ରେକର୍ଡପତ୍ର ଯାଞ୍ଚ କରିଥିଲେ । ତଦନ୍ତ ସମୟରେ ସରଳା ଗ୍ରାମବାସୀ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଲୋକାୟୁକ୍ତଙ୍କ ଟିମ ନିକଟରେ ଅଭିଯୋଗ କରିଥିଲେ । ସେମାନଙ୍କ ସହିତ ପୁର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ମାଝୀ, ଜିଆରଏସ ବିନୟ ମଲ୍ଲିକଙ୍କ ସହିତ ଜିପିଓ ନରହରି ନାୟକ, ପିଇଓ ଜିତେନ୍ଦ୍ର କୁମାର ଜେନା, ଉମାକାନ୍ତ ସା ପ୍ରମୁଖ ଉପସ୍ଥିତ ଥିଲେ । ତଦନ୍ତ ପରେ ଯାହା ରିପୋର୍ଟ ଦିଆଯିବା କଥା ଆମେ କୋର୍ଟକୁ ଦେବୁ ବୋଲି ଅଧିକାରୀ ଦ୍ୱୟ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ କିନ୍ତୁ ପୁର୍ବତନ ପିଇଓ ଏବଂ ଜିଆରଏସ ଦ୍ୱୟ ଏହାକୁ ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ