ଡାକ୍ତରଙ୍କ ପ୍ରେସ୍କ୍ରିପ୍ଶନ୍ ସମସ୍ତେ ନ ପଢ଼ିପାରିବାର କାରଣ
ଡାକ୍ତରଙ୍କ ହସ୍ତାକ୍ଷର ସବୁଠାରୁ ନିଆରା । ସେମାନଙ୍କ ଦ୍ୱାରା ଲେଖାଯାଉଥିବା ପ୍ରେସ୍କ୍ରିପ୍ଶନ୍ ପଢ଼ିବା ଏବଂ ବୁଝିବା କଷ୍ଟକର । ଡାକ୍ତରମାନେ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ମେଡିସିନର ନାମ ଲେଖିଥାନ୍ତି । ମାତ୍ର ତାଙ୍କ ଅକ୍ଷର ଦେଖିଲେ ମନରେ ଅନେକ ପ୍ରଶ୍ନ ଆସିଥାଏ । ଡାକ୍ତରମାନେ ଏପରି ଅକ୍ଷରରେ କାହିଁକି ଲେଖିଥାନ୍ତି, ଆସନ୍ତୁ ଜାଣିବା ଏହା ପଛର କାରଣ ସମ୍ପର୍କରେ ।ଡାକ୍ତରଙ୍କ ଏପରି ହାତଲେଖା ପଛର ବଡ଼ କାରଣ ହେଲା, ଅଧିକ ଲେଖିବା । ପରୀକ୍ଷା ସମୟରେ ମେଡିକାଲ ଛାତ୍ରୀଛାତ୍ରମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ବହୁତ ଲେଖିବାକୁ ପଡ଼ିଥାଏ । ଏହା ଦ୍ୱାରା ସେମାନେ ନିଜ ଅକ୍ଷର ଉପରେ ଧ୍ୟାନ ନ ଦେଇ କେବଳ ଉତ୍ତର ଲେଖିଥାନ୍ତି । ଫଳରେ ଧୀରେ ଧୀରେ ସେମାନଙ୍କ ଅକ୍ଷର ଖରାପ ହୋଇଥାଏ ।ଡାକ୍ତରଙ୍କ ହସ୍ତାକ୍ଷର ବୁଝି ନ ହେବାରୁ ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ(ଏମ୍ସିଆଇ) ପକ୍ଷରୁ ଏକ ଗାଇଡ୍ଲାଇନ୍ ଜାରି କରାଯାଇଛି । ଉକ୍ତ ଗାଇଡ୍ଲାଇନ୍ ଅନୁସାରେ, ରୋଗୀ ଚିକିତ୍ସା ପାଇଁ ଲେଖାଯାଉଥିବା ପ୍ରେସ୍କ୍ରିପ୍ଶନ କ୍ୟାପିଟାଲ ଲେଟର ଏବଂ ପ୍ରାଞ୍ଜଳ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କ’ଣ ଲେଖାଗଲା ତାହା ରୋଗୀଙ୍କୁ ବୁଝାଇବାକୁ ହେବ । ଫଳରେ ଉକ୍ତ ଲେଖାକୁ ଯେପରି ସମସ୍ତେ ବୁଝିପାରିବେ ।


