ଡାକ୍ତର ଆରତୀ ବେହେରାଙ୍କ ପରଲୋକରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ ସ୍ତ୍ରୀ-ପ୍ରସୂତି ରୋଗ ବିଶେଷଜ୍ଞ ଡା. ଆରତୀ ବେହେରା କୋଭିତ୍ରରେ ଆକ୍ରାନ୍ତ ହୋଇ ଶନିବାର ପ୍ରାଣ ହରାଇଛନ୍ତି । ଏଣୁ ସହର ସମେତ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଡାକ୍ତର ଆରତୀ ବେହେରା ଆଣ୍ଠୁଗଣ୍ଠି ଜନିତ ରୋଗରେ ଆକ୍ରାନ୍ତ ଥାଇ ଦିଲ୍ଲୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ । ସେଠାରେ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଇସିୟୁ ଓ ପରେ ତାଙ୍କୁ ଭେଂଟିଲେଟରରେ ରଖଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ସେଠାରେ ଶନିବାର ସନ୍ଧ୍ୟା ୬ଟାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ । ଏ ଦୁଃଖଦ ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ୍ ଜଗଦେବ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦିବଂଗତ ଡାକ୍ତର ପୂର୍ବରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ । ପରେ ମୟୂରଭଞ୍ଜ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ବାରିପଦାରେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଥିଲେ ।


