ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ‘କଥା ସେମାନଙ୍କର କଲମ ମୋର’ ଉନ୍ମୋଚିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ଜନ୍ମଦିନ ଅବସରରେ ତାଙ୍କର ୩୦ତମ ପୁସ୍ତକ ‘କଥା ସେମାନଙ୍କର କଲମ ମୋର’ ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି । ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ ରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ଡାକ୍ତର ନନ୍ଦଙ୍କ ପଚାଶରୁ ଊର୍ଦ୍ଧ୍ୱ ବର୍ଷ ଡାକ୍ତରୀ ଜୀବନର ସ୍ମୃତି ଓ ଅନୁଭୂତି ସମ୍ବଳିତ ଏହି ଆତ୍ମ ଚରିତାତ୍ମକ ପୁସ୍ତକଟି ସବୁ ବର୍ଗର ପାଠକଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବା ସହିତ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବାରେ ସକ୍ଷମ ହେବ ବୋଲି ଡ. ତ୍ରିପାଠୀ ମତ ପ୍ରକାଶ କରିଥିଲେ । ପ୍ରଫେସର ବିଜୟାନନ୍ଦ ସିଂହ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକ୍ତର ନନ୍ଦଙ୍କ ପୁସ୍ତକର ବିଷୟବସ୍ତୁ ଓ ଶବ୍ଦ ସଂଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହାକୁ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରାଯାଇ ପାରିଲେ ସର୍ବଭାରତୀୟ ସ୍ତରରେ ଆଦୃତି ଲାଭ କରି ପାରନ୍ତା ବୋଲି କହିଥିଲେ । ପ୍ରଫେସର ରବିନାରାୟଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକଟିର ତାତ୍ତ୍ୱିକ ଆଲୋଚନା କରିବା ସହିତ ଡାକ୍ତର ନନ୍ଦ ରୋଗୀମାନଙ୍କ ର ଶାରୀରିକ, ମାନସିକ ଓ ଆତ୍ମିକ ସ୍ୱାସ୍ଥ୍ୟରକ୍ଷା ଦିଗରେ ସର୍ବଦା ଯତ୍ନବାନ ବୋଲି କହିଥିଲେ । ନିଜର ଲେଖକୀୟ ଅଭିବ୍ୟକ୍ତିରେ ଡାକ୍ତର ନନ୍ଦ କୋଭିଡ଼ ସମୟରେ ଏହି ପୁସ୍ତକଟିକୁ ରଚନା କରି ମାନସିକ ଶାନ୍ତି ପାଇଛନ୍ତି ବୋଲି ପ୍ରକାଶ କରିଥିଲେ । ପରିଷଦର ସମ୍ପାଦକ ଦୀପକ ବୋଷ ଉନ୍ମୋଚନ ଉତ୍ସବରେ ପ୍ରାକ୍କଥା ରଖିଥିବା ବେଳେ ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଲେଖକଙ୍କ ପତ୍ନୀ ପ୍ରଫେସର ରଶ୍ମିରେଖା ପତି ଶେଷକଥା ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଗୁରୁ ସତ୍ୟରଂଜନ ମହାନ୍ତିଙ୍କ ଦ୍ୱାରା ଦୀପକ ବୋଷଙ୍କ ରଚିତ ଏକ ଜଗନ୍ନାଥ ଭଜନ ପରିବେଷଣ କରାଯାଇଥିଲା । ଇଂ ସୁଧୀର ଦାଶ, ଡ. ସୋମା ନନ୍ଦ, ତପନ ରାୟ, କଲ୍ୟାଣୀ ନନ୍ଦ, ସ୍ମୃତି ଦାସ, ଦୀପକ ବେହେରା, ଅନୁପ ଚାଟ୍ଟାର୍ଜୀ, ସୁମନ୍ତ ନାୟକ, ଉଦୟ ଶଙ୍କର ଓ ଦେବାନନ୍ଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉତ୍ସବରେ ବହୁ ସଂଖ୍ୟାରେ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


