ଡିଜେ ସାଉଣ୍ଡରେ ଥରୁଛି ସହର

କେନ୍ଦ୍ରାପଡା – କେନ୍ଦ୍ରାପଡାର ଗଣପର୍ବ ଗଜ ଲକ୍ଷ୍ମୀ ପୂଜା ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବାକୁ ପ୍ରଶାସନିକ ସ୍ତରରେ ପୂର୍ବରୁ ବାରମ୍ବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଡିଜେ ସାଉଣ୍ଡକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଗତ ସେପ୍ଟେମ୍ବର ୨୧ ତାରିଖ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେବା ସହିତ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା । କିନ୍ତୁ ପ୍ରଶାସନର ସେହି ନିଷ୍ପତ୍ତିକୁ ପୂଜା କମିଟି ଗୁଡିକ ନମାନି ଡିଜେ ସାଉଣ୍ଡ ବନ୍ଦ କୁ ପୂଜା କମିଟି ଫୁରେ ଉଡାଇ ଦେଇଥିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ଡିଜେ ସାଉଣ୍ଡ ବନ୍ଦ କରିବା ସହିତ କୌଣସି ବ୍ୟାଣ୍ଡ ପାର୍ଟିରେ ୬ ଟି ରୁ ଅଧିକ ସାଉଣ୍ଡ ବକ୍ସ ନ ଲଗାଇବା ସହିତ ୬୫ ଡେସିବିଲରୁ ଅଧିକ ସାଉଣ୍ଡରେ ମାଇକ ନବଜାଇବାକୁ ପ୍ରଶାସନ ପକ୍ଷରୁ ରୋକ ଲାଗିଥିଲା । କିନ୍ତୁ ପ୍ରତ୍ୟେକ ମେଢ଼ ଭଷାଣୀ ଶୋଭାଯାତ୍ରାରେ ୧୮ ରୁ ୨୫ଟି କରି ବକ୍ସ ଲଗାଯିବା ସହିତ ୬୫ ଡେସିବିଲରୁ ଅଧିକ ଜୋରରେ ଡିଜେ ସାଉଣ୍ଡ ଲଗାଇ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଡିଜେ ସାଉଣ୍ଡର ପ୍ରକୋପରେ ହୃଦ ରୋଗୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଅତିଷ୍ଠ ହେବା ସହିତ ଡିଜେର ପ୍ରଭାବରେ ସହର ଥରି ଉଠୁଛି । ତେଣୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଜେ ସାଉଣ୍ଡର ବହୁଳ ବ୍ୟବହାର କରାଯାଇ ଶବ୍ଦ ପ୍ରଦୂଷଣ କରାଯାଉଛି । ମୋଟା ମୋଟି ଭାବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପୂଜା କମିଟିର ଖାତିର ନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେବା ସହିତ ଜିଲ୍ଲାପାଳଙ୍କ ତୁହାକୁ ତୁହା ବୈଠକ ପୂଜା କମିଟି ଆଗରେ ଫେଲ ମାରିଥିବା ଦେଖାଯାଇଛି । ଆଜିର ପ୍ରଥମ ଦିନ ଭଷାଣି ଶୋଭାଯାତ୍ରରେ ପୂଜା କମିଟିର ନିଷ୍ପତ୍ତି ଅନୁଯାୟୀ ସକାଳ ୧୦ ଟା ସୁଦ୍ଧା ସମସ୍ତ ମେଢ଼ ଗୁଡିକ ନିଜ ନିଜର ଆସ୍ଥାନ ଛାଡି ସାହି ବସ୍ତି ଓ ସହର ପରିକ୍ରମା କରି ଭୋଗଖାଇଥିବା ଦେଖିବାକୁ ମିଳିିଛି । ପରମ୍ପରା ଅନୁଯାୟୀ ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ଥାନପତି ମେଢ ନିଜର ଗାଦି ଛାଡିବା ପରେ ନୂଆ ବସଷ୍ଟାଣ୍ଡର ଥାନପତି ମେଢ଼ ଆସିଥାନ୍ତି । ପରେ ଅନ୍ୟ ମେଢ଼ ଗୁଡିକ ଶୋଭାଯାତ୍ରାରେ ଯାଇଥାନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ପୁରୁଣା ବସଷ୍ଟାଣ୍ଡ ମେଳଣ ପଡିଆରେ ୭/୮ ଟି ମେଢ ପହଞ୍ଚି ଥିବାର ଦେଖିବାକୁ ମିଳିଛି । ପୂରୁଣା ବସଷ୍ଟାଣ୍ଡ ନିୟନ୍ତ୍ରଣ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ନୀତି ଶେଖର, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମିତା ପଟ୍ଟନାୟକ,ଗାଗାରିନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଥିବା ବେଳେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସପି କାର୍ତ୍ତିକ ମଲ୍ଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେଓ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦରଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ବିଭିନ୍ନ ଗଜଲକ୍ଷ୍ମୀ ମେଢ ନିକଟରେ ପହଁଚି ସେଗୁଡିକୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆକୁ ସମୟ ସୀମା ଭୀତରେ ଆଣିବାକୁ ପ୍ରୟାସ ଜାରିରଖିଥିବାର ଦେଖାଯାଇଛି । ପ୍ରାୟ ୩୦ପ୍ଲାଟୁନ ପୋଲିସ ଫୋର୍ସ ଶାନ୍ତି ଶୃଖଳା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ