ଡିସେମ୍ବର ନୁହେଁ, ଅଗଷ୍ଟରେ ଠାବ ହୋଇଥିଲା କୋରୋନା ଭୂତାଣୁ

ଲଣ୍ଡନ: ଗତବର୍ଷ ଡିସେମ୍ବରରେ ଚୀନର ଉହାନ୍ ସହରରେ ସର୍ବପ୍ରଥମ ଥର ପାଇଁ ଘାତକ କୋରୋନା ଭୂତାଣୁ ଠାବ ହୋଇଥିବା ଚୀନ୍ ପକ୍ଷରୁ ବାରମ୍ବାର କୁହାଯାଇଆସୁଛି। ତେବେ ଏହି ଦେଶର ତଥ୍ୟ ଉପରେ ଆମେରିକା ସମେତ ବିଶ୍ବର ପ୍ରମୁଖ ଦେଶମାନେ ସନ୍ଦେହ ପ୍ରକାଶ କରିଆସିଥିବା ବେଳେ ଏବେ ହାର୍ଭାର୍ଡ ମେଡିକାଲ୍ ସ୍କୁଲ୍ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରେ ମଧ୍ୟ ଏପରି କୁହାଯାଇଛି। ଏହି ରିସର୍ଚ୍ଚ ଟିମ୍ ସାଟେଲାଇଟ୍ ଚିତ୍ର ଓ ସର୍ଚ୍ଚ ଇଞ୍ଜିନର ଡାଟା ଅନୁସାରେ ଏପରି ଏକ ଦାବି କରିଛି। ଉହାନର ଯେଉଁ ହସ୍ପିଟାଲରେ ପ୍ରଥମେ ଏହି ଭୂତାଣୁ ଠାବ କରାଯାଇଥିବା ଆଲୋଚ୍ୟ ରିସର୍ଚ୍ଚ ଟିମର ସଦସ୍ୟମାନେ ସାଟେଲାଇଟରେ ଉପଲବ୍ଧ ଉକ୍ତ ହସ୍ପିଟାଲ ପାର୍କିଂ ସ୍ଥଳର ଫଟୋ ସଂଗ୍ରହ କରିଛନ୍ତି। ଏହାଛଡ଼ା ଇଣ୍ଟରନେଟରେ ସର୍ଚ୍ଚ ଇଞ୍ଜିନରେ ମଧ୍ୟ ‘କଫ’ ଓ ‘ଡାଇରିଆ’ ଆଦି ଶବ୍ଦ ଖୋଜିବା ବେଳେ ଡିସେମ୍ବର ନୁହେଁ, ବରଂ ଅଗଷ୍ଟରେ ଚୀନରେ ପ୍ରଥମ କୋରୋନା ଭୂତାଣୁ ଠାବ କରାଯାଇଥିବାର ପ୍ରମାଣ ମିଳିଥିବା ଉକ୍ତ ରିସର୍ଚ୍ଚ ଟିମ୍ ପକ୍ଷରୁ କୁହାଯାଇଛି।
ଉକ୍ତ ହସ୍ପିଟାଲର ପାର୍କିଂସ୍ଥଳରେ ଅଧିକ ମାତ୍ରାରେ ଗହଳି ହୋଇଥିବାରୁ ରିସର୍ଚ୍ଚ ଟିମର ସଦସ୍ୟମାନେ ଏହା କୋରୋନା ଭୂତାଣୁ ଜନିତ ହୋଇଥାଇପାରେ ବୋଲି ଆକଳନ କରୁଛନ୍ତି। ଉହାନର ସିଫୁଡ୍ ମାର୍କେଟରୁ ଏହି ଭୂତାଣୁ ବ୍ୟାପିଥିବା କୁହାଯାଉଥିଲେ ମଧ୍ୟ ଏହାର ଯଥେଷ୍ଟ ପୂର୍ବରୁ ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ରିସର୍ଚ୍ଚ ଟିମର ସଦସ୍ୟମାନେ ଅନୁମାନ କରିଛନ୍ତି। ଗତବର୍ଷ ଅଗଷ୍ଟରେ ଉହାନ୍ ହସ୍ପିଟାଲର ପାର୍କିଂ ସ୍ଥଳରେ ପୂର୍ବାପେକ୍ଷା ଅଧିକ ଭିଡ଼ ହୋଇଥିବା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଥିବାରୁ ରିସର୍ଚ୍ଚ ଟିମର ସଦସ୍ୟମାନେ ଏହା କୋରୋନା ଭୂତାଣୁ ସଂକ୍ରମଣଜନିତ ହୋଇଥିବା ସନ୍ଦେହ କରିଛନ୍ତି। ତେବେ ରିସର୍ଚ୍ଚ ଟିମ୍ କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ଥିବାରୁ ଉହାନରେ ଡିସେମ୍ବରରେ କି ଅଗଷ୍ଟରେ ଏହି ଭୂତାଣୁ ପ୍ରଥମେ ଠାବ କରାଯାଇଥିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପକ୍ଷରେ ଚୀନ୍ ଏପରି ଦାବିକୁ ଖଣ୍ଡନ କରିବା ସହ ରିସର୍ଚ୍ଚ ଟିମର ରିପୋର୍ଟକୁ ଦୁଃଖଦପୂର୍ଣ୍ଣ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ