ଢ଼େଙ୍କା ହାଇସ୍କୁଲର ପ୍ରତିଷ୍ଠାତା ଗୋପାଳ ପାଣିଗ୍ରାହୀଙ୍କ ପରଲୋକ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଢ଼େଙ୍କା ହାଇସ୍କୁଲର ପ୍ରତିଷ୍ଠାତା ଗୋପାଳ ପାଣିଗ୍ରାହୀଙ୍କର ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଢ଼େଙ୍କା ଜମିଦାର ପରିବାରରେ ଜନ୍ମଗ୍ରହଣ କରି ଏ ଅଞ୍ଚଳରେ ସମାଜସେବା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ସେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପୁଅ ସତ୍ୟକାମ, ଶରତ, ଶିଶିର, ଜ୍ୱାଇଁ ରାଜକିଶୋର ଦାଶଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଢ଼େଙ୍କା ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଥିବାବେଳେ ଅନେକ ବୁଦ୍ଧିଜିବୀ, ଶିକ୍ଷାବିତ, ସମାଜସେବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଶେଷକୃତ୍ତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ସମ୍ମାନାର୍ଥେ ଆଜି ଢ଼େଙ୍କା ବଜାରକୁ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଥିଲା । ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ବିଜେପି ନେତା ଆଲୋକ ସେଠୀ, ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।


