ତ୍ୱରାନ୍ୱିତ ଗୃହ ନିର୍ମାଣ ପାଇଁ ଘଣ୍ଟବଜା କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଘଣ୍ଟବଜା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଡିଓ ବିଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି କୁରିଗାଁ ପଞ୍ଚାୟତର ନାଉରୀଗଡିଆ ଗ୍ରାମରେ ଏହା ଶୁଭାରମ୍ଭ ହୋଇଥିଲା । ଯେଉଁ ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ସୁଦ୍ଧା ଅନେକ ଦିନ ହେବ ଗୃହ ନିର୍ମାଣ କରିପାରିନାହାଁନ୍ତି ସେମାନଙ୍କୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ବିଡିଓ ଶ୍ରୀ ସାହୁ ନିବେଦନ କରିଥିଲେ । ଏପରିକି ଏଦିଗରେ ସଚେତନତା ସୃଷ୍ଟି ପାଇଁ ଗ୍ରାମର ସାହିକୁ ସାହି ବୁଲି ବ୍ଲକ କର୍ମଚାରୀ ମାନେ ଘଣ୍ଟ ବଜାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓଙ୍କ ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ନାୟକ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ଗୃହ ନିର୍ମାଣ ସୁବିଧା ଅସୁବିଧା ସମ୍ପର୍କରେ ହିତାଧିକାରୀମାନଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା ।


