ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ଅନେକ ପଞ୍ଚାୟତରେ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଦୁର୍ନିତି ସହିତ ଦଳୀୟ ଓ ପ୍ରିୟାପ୍ରୀତି ପୋଷଣ ହୋଇଥିବା ଅଭିଯୋଗ ହେଉଛି । କେତେକ ପଞ୍ଚାୟତରେ ଦଳୀୟ ଭିତ୍ତିରେ କୌଶଳ କ୍ରମେ ଆବାସ ଯୋଜନା ପ୍ରଦାନ କରାଯାଉଥିବାବେଳେ ଅନେକ ପଞ୍ଚାୟତରେ ଥିଲାବାଲା ଲୋକଙ୍କୁ ମଧ୍ୟ ଅର୍ଥ ବିନିମୟରେ ଗୃହ ବଣ୍ଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରଣଜିତ ଗ୍ରାମ ପଞ୍ଚାୟତର ନିଲାଦ୍ରୀ ଗ୍ରାମରେ ବେଆଇନ ଭାବେ ଆବାସ ଯୋଜନା ଦିଆଯାଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଜନଗଣନା ୨୦୧୧ ଅନୁସାରେ ଯେଉଁ ଲୋକର କୋଠା ଘର ରହିଛି ୨୦୧୯-୨୦ମସିହାରେ ପଞ୍ଜିକରଣରେ ତାର ପୁଅକୁ ସରକାରୀ ଗୃହ ପାଇଁ ସୁପାରିଶ କରାଯାଇଛି । ଏନେଇ ପୂର୍ବରୁ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଯୋଗ୍ୟ ଲୋକଙ୍କୁ ମଧ୍ୟ ପୁଣି ଗୃହ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅତି ଚଞ୍ଚକତା ପୂର୍ବକ ଉକ୍ତ କାର୍ଯ୍ୟ କରିଥିବା ଗ୍ରାମବାସୀ ହରେକୃଷ୍ଣ ଦାସ, ଶତୃଘନ ଜେନା, ଦିଲ୍ଲୀପ ରାଉତ, ଅଶୋକ କୁମାର ମହାନ୍ତି, କିର୍ତ୍ତନ ମଳିକ, ନିରୋଦ କୁମାର ରାଉତ, ପ୍ରଶାନ୍ତ କୁମାର ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ, ଆଲୋକ ମଲ୍ଲିକ, ବିପିନ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ବିଡିଓଙ୍କ ମତାମତ ନେବାରୁ ସେ ଅଭିଯୋଗ ବାବଦରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।


