ଦଶଜଣ ସାରସ୍ୱତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଆ ଭାଷା ସାହିତ୍ୟ ତଥା ଓଡ଼ିଶା ପ୍ରଦେଶର ସାମଗ୍ରିକ ବିକାଶ ଘଟାଇବା ମୂଳରେ ସାରସ୍ୱତ ସ୍ରଷ୍ଟାମାନେ ନିଜ କାଗଜ କଲମରେ ସାଧାରଣ ଭାବବ୍ୟକ୍ତ କେବଳ ନୁହଁ; ନିର୍ଭୀକ ପରିପ୍ରକାଶ ମାଧ୍ୟମରେ ହିଁ ଯେପରି ବୈପ୍ଳବିକ ପରିବର୍ତ୍ତନ ଅତୀତ ଦିନରେ ଆମେ ଆମ ରାଜ୍ୟରେ ଆଣିପାରିଥିଲେ, ଠିକ୍ ସେଇପରି ଏବେ ମଧ୍ୟ ତାହା ସଂଭବ ବୋଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ମାନ୍ୟବର ବିଶ୍ୱଭୂଷଣ ହରିଚନ୍ଦନ ଭୁବନେଶ୍ୱର ଜୟଦେବ ଭବନରେ ତ୍ରୟମାସିକ ‘କାହାଣୀ’ ପତ୍ରିକା ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ଏହା ପ୍ରକାଶ କରିଥିଲେ । ରାଜ୍ୟର ପ୍ରତିଭାବାନ୍ ୧୦ଜଣ ସ୍ରଷ୍ଟା ଅଧ୍ୟାପକ ବିଶ୍ୱରଂଜନ, ଦାଶ୍‌ବେନହୁର, ଗୌରହରି ଦାସ, ରଜନୀକାନ୍ତ ମହାନ୍ତି, ପ୍ରଭାକର ସ୍ୱାଇଁ, ବଳଦେବ ମହାରଥାଙ୍କୁ ସମ୍ବର୍ଦ୍ଧିତ ଏବଂ ଗାଳ୍ପିକ କ୍ଷୀରୋଦ ଦାସ ଓ ଡ. ଇତି ସାମନ୍ତଙ୍କୁ ଗଳ୍ପ ପୁରସ୍କାର ତଥା ପ୍ରଚ୍ଛଦ ପୁରସ୍କାର ପାଇଁ ଅତୁଲ ବଳଙ୍କୁ ପୁରସ୍କୃତ କରିଥିଲାବେଳେ ଓଡ଼ିଶାର ବିଶିଷ୍ଟ କବି ବାଲେଶ୍ୱର ମାଟିର ଗର୍ବଗୌରବ ଶ୍ରୀଦେବଙ୍କୁ ପ୍ରଥମ କାହାଣୀ କବିତା ପୁରସ୍କାର-୨୦୨୨ ପାଇଁ ପୁରସ୍କୃତ କରି ମୁଖ୍ୟଅତିଥି ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ‘ଚୁପ୍ ରହିବାର ନୁହଁ ବରଂ ମୁହଁ ଖୋଲିବାର ବେଳ ଆସି ପହଂଚିଛି’ ଯାହା ସାରସ୍ୱତ ସ୍ରଷ୍ଟାମାନେ ତାହାର ଦୃଷ୍ଟାନ୍ତ ସୃଷ୍ଟି କରିବା ଉଚିତ । ତଦନୁରୂପ ଭାବରେ ‘ସମ୍ବାଦ’ ଦୈନିକ ଖବରକାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁରସ୍କାର ସଂକ୍ରାନ୍ତରେ ‘ସରକାରୀ ରାଷ୍ଟ୍ରକୃପା ବଣ୍ଟନଠୁ ବେସରକାରୀ ଅନୁଷ୍ଠାନମାନଙ୍କର ଉଚିତ ନିରପେକ୍ଷ ବିଚାର ସର୍ଜନାକାରମାନଙ୍କୁ ମାତ୍ରାଧିକ ପ୍ରଚୋଦିତ କରିବ’ ବୋଲି ନିଜର ସାଧୁ ମନ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଅତିବଡ଼ି ଜଗନ୍ନାଥ ପୁରସ୍କାରପ୍ରାପ୍ତ କଥାକାର ରାମଚନ୍ଦ୍ର ବେହେରା ‘ସ୍ରଷ୍ଟାଙ୍କୁ ବିଷୟବସ୍ତୁ ଘାରିଲେ ଯାଇ କଲମରୁ କାଳଜୟୀ ସୃଷ୍ଟି ସମ୍ଭବ ହୋଇଥାଏ  ଓ ସ୍ରଷ୍ଟାକୁ ତା’ର ସର୍ଜନା ପ୍ରତି ସନ୍ତୁଷ୍ଟି ଆଣିଦେଇଥାଏ – ଯାହା ସମ୍ବର୍ଦ୍ଧିତ, ପୁରସ୍କୃତ ପ୍ରତିଭାଧରମାନଙ୍କର ଅନ୍ତିମ ଧ୍ୟେୟ ରହିବା ଆବଶ୍ୟକ’ ବୋଲି ମତ ପ୍ରକାଶ କରିଥିଲେ । ଏହି ସମାରୋହକୁ ‘କାହାଣୀ’ର ମୁଖ୍ୟ ସମ୍ପାଦକ କବି ରବିନାରାୟଣ ସେନାପତି ପୌରୋହିତ୍ୟ କରିଥିଲାବେଳେ ସମ୍ପାଦକ ବିଜୟ ନାୟକ ସ୍ୱାଗତ ସମ୍ଭାଷଣ, କବି ଅଭୟ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ