ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଖୋଲିବାକୁ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ନୂତନ ସହାୟିକା ଚୟନ ବିବାଦକୁ ନେଇ ଗତ ଏପ୍ରିଲ ମାସ ୨୧ ତାରିଖରେ ସ୍ଥାନୀୟ ମହିଳାମାନେ ତାଲା ପକାଇଥିବା ଜଳେଶ୍ୱର ବ୍ଲକ ବରଡିହା ସେକ୍ଟର ଅନ୍ତର୍ଗତ ବାଖୁଡ଼ିପଦା ଅଙ୍ଗନବାଡ଼ି ଖୋଲିବାକୁ ଦାବି କରିଛି ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ । ଏନେଇ ସଂଘର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ସୃଷ୍ଟି ହୋଇଥିବା ଅଭାବନୀୟ ଅବସ୍ଥା ସମ୍ପର୍କରେ ଅବଗତ କରିଛନ୍ତି । କେନ୍ଦ୍ର ବନ୍ଦ ରହିଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଶିଶୁମାନଙ୍କୁ ସନିକଟ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ବସାଇ ପାଠ ପଢ଼ାଇବା ସହ ସେଇଠାରେ ରୋଷେଇ କରି ଖାଦ୍ୟ ପ୍ରଦାନ କରୁଛି । ବଢ଼ି ଚାଲିଥିବା ଗ୍ରୀଷ୍ମ ପ୍ରକୋପରେ ଛୋଟ ଶିଶୁମାନଙ୍କୁ ନେଇ କର୍ମୀଙ୍କୁ ନାନା ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି । ସବୁଠାରୁ ବଡ଼କଥା ହେଲା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ଫଳରେ ସମନ୍ୱିତ ଶିଶି ବିକାଶ ଯୋଜନାରେ ମମତା ଦିବସ ପାଳନ, ମାସିକ ଶିଶୁ ଓଜନ ଉତ୍ସବ, ଗର୍ଭବତୀ ପଞ୍ଜୀକରଣ ଓ ଟୀକାକରଣ ଆଦି ଆୟୋଜନରେ ସମସ୍ୟା ସୃଷ୍ଟି ହୋଇଥିବା ସଂଘର କର୍ମକର୍ତ୍ତା ମାନେ କହିଛନ୍ତି । ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବା ସହ ତୁରନ୍ତ ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଖୋଲିବାକୁ ସେମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଅଙ୍ଗନବାଡ଼ି ସଂଘ ଜିଲା ସଭାପତି ପ୍ରତିଭା ପାଲଙ୍କ ସମେତ ଜଳେଶ୍ୱର ଶାଖା ସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ସମ୍ପାଦିକା କଳ୍ପନା ଦେ ଓ ବହୁ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ