ଦୀର୍ଘ ୨ ବର୍ଷ ପରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇଲେ ଛାତ୍ରଛାତ୍ରୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :- କୋଭିଡ କଟକଣା ଯୋଗୁ ଦୀର୍ଘ ଦୁଇ ବର୍ଷ ହେବ ବିଦ୍ୟାଳୟର ଶ୍ରେଣୀ ଗୃହ ପାଠପଢା ଏକରକମ ବନ୍ଦ ହୋଇ ରହିଥିଲା । ଗତ ଶିକ୍ଷାବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ଅନୁସାରେ ଅନଲାଇନରେ ପାଠପଢା ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ସମସ୍ତ ଶ୍ରେଣୀର ପିଲାମାନଙ୍କୁ ନେଇ ଶ୍ରେଣୀଗୃହରେ ପାଠପଢା କାର୍ଯ୍ୟ ଜାରି ରହିଥିଲା । କୋଭିଡ କଟକଣା ଆଇନ ଉଠିଯିବା ପରେ ପୂର୍ବପରି ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ପାଠପଢା ଆରମ୍ଭ କରାଯାଇଛି । ସମସ୍ତ କ୍ଳାସ ଖୋଲା ଯାଇଥିବା ବେଳେ ଦୀର୍ଘ ୨ବର୍ଷ ପରେ ଶନିବାର ଠାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ଖାଇଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ପରିଲିଖିତ ହୋଇଥିବା ଦେଖିବାକୁ ମିଳିଥିଲା । ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୭,୬୧୬ ପିଲା ନାମ ଲେଖାଇଥିବା ବେଳେ ମଧ୍ୟାହ୍ନ ଭୋଜନରେ ୫,୪୭୩ ପିଲା ସାମିଲ ହୋଇଥିଲେ । ମଧ୍ୟାହ୍ନ ଭୋଜନ ସଠିକ ପରିଚାଳନା ହେଉଛି କି ନାହିଁ ସିଆରସିସିଙ୍କ ସମେତ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ତଥା ମଧ୍ୟାହ୍ନ ଭୋଜନ ତଦାରଖ ଅଧିକାରୀ ଅକ୍ଷୟ କୁମାର ବେହେରା ବିଭିନ୍ନ ବିଦ୍ୟାଳୟ ବୁଲି ମଧ୍ୟାହ୍ନ ଭୋଜନ ତଦାରଖ କରିଥିବା ପ୍ରକାଶ କରିଛନ୍ତି ।


