ଦୁଇ ପିଲାଙ୍କ ସହ ଜରାଜିର୍ଣ୍ଣ ଅବସ୍ଥାରେ ରୁକ୍ମଣୀ
ଘଟଗାଁ , (ଯୁଗାବ୍ଦ ନ୍ୟୁଜ) : ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ଗରିବ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଅନ୍ୟପଟେ ଅସହାୟ ଗରିବ ନିରାଶ୍ରୟ ଲୋକମାନେ ମଧ୍ୟ ସରକାରଙ୍କ ପକ୍ଷରୁ ପକ୍କା ଘର ପାଇ ମୁଣ୍ଡ ଗୁଞିବେ ବୋଲି ଆଶା ବାନ୍ଧୁ ଥିବା ବେଳେ ସେ ଆଶା ଆଶାରେ ରହିଯାଉଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମନୋହରପୁର ଗ୍ରାମର ରୁକ୍ମଣୀ ମୁଣ୍ଡାଙ୍କ ପରିବାରରେ । ଅନ୍ୟପକ୍ଷରେ ଗତ ବର୍ଷ ହୋଇଥିବା ବର୍ଷାରେ ରୁକ୍ମଣୀ ତିନି ଝିଅ ଏବଂ ଗୋଟିଏ ପୁଅ ସହିତ ରାତ୍ରିରେ ଶୋଇଥିବା ସମୟରେ ଘରଟି ସମ୍ପୁର୍ଣ୍ଣ ଭାଙ୍ଗି ଘଟଣାସ୍ଥଳରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମୃତ୍ୟୁ ବରଣ କରିଥିଲେ ଏବଂ ରୁକ୍ମଣୀଙ୍କର ମଧ୍ୟ ଅଂଟା ଭାଗିଯାଇଥିଲା । ବର୍ତମାନ ସେ କିଛି କରିପାରୁ ନାହାନ୍ତି । ଫଳରେ ଦୁଇ କୁନି କୁନି ଝିଅଙ୍କୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୁକ୍ମଣୀ । ସୁଚନାନୁୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମନୋହରପୁର ପଂଚାୟତ ସ୍ଥିତ ମନୋହରପୁର ଗ୍ରାମ । ଏହି ଗ୍ରାମରେ ବାସ କରନ୍ତି ରୁକ୍ମଣୀ ମୁଣ୍ଡା । ବର୍ଷେରେ ଉଦ୍ଧ୍ୱର୍ ହେବ କୌଣସି କାରଣରୁ ରୁକ୍ମଣୀଙ୍କ ସ୍ୱାମୀ ଜଗୁ ମୁଣ୍ଡା ରୁକ୍ମଣୀଙ୍କ ମାଆକୁ ତଂଟି ଚିପି ମାରି ଜେଲ ଯିବା ପରେ ରୁକ୍ମଣୀ ମୁଲ ମଜୁରି କରି ନିଜର ତିନୋଟି ଝିଅ ଏବଂ ଗୋଟିଏ ପୁଅଙ୍କୁ ଧରି ମନରେ ଦୁଃଖ ଥାଇବି ଆରାମରେ ଚଳୁଥିଲା । କିନ୍ତୁ କାହାର ନଜର ପଡିଲା ଭଳି ଗତବର୍ଷ ଲଗାଣ ବର୍ଷାରେ ରୁକ୍ମଣୀ ନିଜ ଚାରି ପୁଅ ଝିଅଙ୍କୁ ଧରି ରାତିରେ ଶୋଇଥିବା ସମୟରେ କାନ୍ଥ ଭୁସୁଡି ତାଙ୍କ ଉପରେ ପଡିଥିଲା । ଫଳରେ ରୁକ୍ମଣୀ ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ହରାଇ ବସିଥିଲା ଏବଂ ରୁକ୍ମଣୀଙ୍କ ଅଂଟା ମଧ୍ୟ ଭାଙ୍ଗି ଯିବାରୁ ସେ ଆଜି ପର୍ଯ୍ୟନ୍ତ କିଛି କରିପାରୁ ନାହାନ୍ତି । ଫଳରେ ରୁକ୍ମଣୀ ଦୁଇ କୁନି କୁନି ଝିଅଙ୍କୁ ନେଇ ଜରାଜିର୍ଣ୍ଣ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ରୁକ୍ମଣୀଙ୍କ ବଡ ଝିଅ ମାଳତି ମୁଣ୍ଡା ଷଷ୍ଠ ଶ୍ରେଣିରେ ପଢୁଥିଲା, ମାଆର ଏ ଅବସ୍ଥା ଦେଖି ତାର ପାଠପଢାରେ ମଧ୍ୟ ଛକି ପଡିଗଲା ତେବେ ବର୍ତମାନ ମାଗି ଯାଚିକି କେତେବେଳେ ପାଇଲେ ଖାଉଛନ୍ତି ନହେଲେ ସେମତି ଉପାସରେ ଶୋଇପଡୁଛନ୍ତି ଏହି ଅସହାୟ ପରିବାରଟି । କାନ୍ଥପଡି ଦୁଇ ଶିଶୁଙ୍କର ଜୀବନ ଚାଲିଯାଇଛି ଏବଂ ଏନେଇ ରୁକ୍ମଣୀଙ୍କ ପରିବାର ସରକାରଙ୍କର ରେଡ୍କ୍ରସ୍ ଫଣ୍ଡ୍ରୁ ଆର୍ଥିକ ସହାୟତା ପାଇବା କଥା ତାହା ମଧ୍ୟ ଆଜକୁ ବର୍ଷେ ହେବ ପାଇପାରୁ ନାହାନ୍ତି । ଅନ୍ୟପକ୍ଷରେ ବିଗତ ବର୍ଷେ ହେବ ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି କୌଣସି ସହାୟତାର ହାତ ବଢାଇ ନାହାନ୍ତି ବରଂ ପ୍ରତିସୃତି ପରେ ପ୍ରତିସୃତି ଦେବାରେ ଚାଲିଛନ୍ତି । ରେଡ୍କ୍ରସ୍ ଫଣ୍ଡ୍ ପକ୍ଷରୁ ପାଇବାର ଥିବା ଟଙ୍କା କୌଣସି କାରଣରୁ ମିଳିପାରି ନାହିଁ ତାହାକୁ ଆଗାମି ୭ଦିନ ମଧ୍ୟରେ ଦିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି । ପ୍ରକୃତିର ତାଣ୍ଡବ ଲିଳାରେ ନିଜର ସବୁକିଛି ହରାଇଥିବା ରୁକ୍ମଣୀଙ୍କ ପରିବାର ଏବେ ଅସହାୟ ତେଣୁ ତାଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳ ବାସୀ ଦାବୀ କରୁଛନ୍ତି ।


