ଦେବୀନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି : କାଳିଆକଣ ଠାରେ ବନ୍ଧରୁ ଅତଡ଼ା ଖସିବାରୁ ଲୋକେ ଆତଙ୍କିତ
ନିମାପଡା (ସନ୍ତୋଷ ଦାଶ ) ହୀରାକୁଦ ଠାରେ ଗେଟ ଖୋଲାଯିବାପରେ ମହାନଦୀ ର ମୁଖ୍ୟଶାଖା ଦେବୀନଦୀ ରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି l ଯଦିଓ ଦେବୀନଦୀ ର ସମ୍ବେଦନସ୍ଥଳ ବାଉରିଆକଣ ଠାରେ ବନ୍ୟାଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ତେବେ ବନ୍ୟାଜଳ ଯେଉଁ ହାର ରେ ବୃଦ୍ଧି ପାଉଛି ଓ ଆସନ୍ତା ସୋମବାର ପୂର୍ଣ୍ଣିମା ତିଥି ରହିଥିବାରୁ ବନ୍ୟାଜଳ ବୃଦ୍ଧି ପାଇ ବିପଦ ସଂକେତ ଛୁଇଁବା ଆଶଙ୍କା ସୃଷ୍ଟି ହେଉଛି l ଅପରପକ୍ଷରେ ଲଗାଣ ବର୍ଷା ଫଳରେ ନଦୀବନ୍ଧର କାଳିଆ କଣ ଠାରେ ବନ୍ଧ ରୁ ଅତଡ଼ା ଖସି ବନ୍ଧ ବିପଦଜନକ ସ୍ଥିତି ରେ ରହିଥିବା ଦେଖିବାକୁ ମିଳିଛି l ବନ୍ୟାଜଳ ବୃଦ୍ଧି ପାଇଲେ ଏଠାରେ ବିପଦଜନକ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ରହିଛି l ଏଣୁ ନଦୀକୂଳ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି l ନିମାପଡା ଜଳସେଚନ ଡିଭିଜନ ନିର୍ବାହୀଯନ୍ତ୍ରୀ ଶଶୀଭୁଷଣ ମିଶ୍ର, କାକଟପୁର ଉପଖଣ୍ଡ ଉପ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ, କନିଷ୍ଠଯନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ଅତଡ଼ା ଖସିଥିବା ବନ୍ଧ ସ୍ଥାନ କୁ ଯାଇ ପରିସ୍ଥିତି ର ଅନୁଧ୍ୟାନ କରିଛନ୍ତି l ଯୁଦ୍ଧକାଳୀନ ଭିତିରେ ବନ୍ଧ ର ଅତଡ଼ା ଖସିଥିବା ସ୍ଥାନ ରେ ବଲ୍ଲା ପୋତି ବାଲିବସ୍ତା ପକାଇବାକୁ ସାଧାରଣରେ ଦାବି ହେଉଛି l ଜଳସେଚନ ବିଭାଗ ପକ୍ଷରୁ ନଦୀ ବନ୍ଧ ରେ 24 ଘଣ୍ଟିଆ ପ୍ରହରାବ୍ୟବସ୍ଥା କରା ଯାଇଥିବାବେଳେ ସମ୍ବେଦନ ଶିଳ ସ୍ଥାନ ପ୍ରତି ତୀଖନ୍ନଦୃଷ୍ଟି ରଖା ଯିବା ସହିତ ବଲ୍ହା ଓ ବାଲିବସ୍ତା ମହଜୁଦ ରଖାଯାଇଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ତପନ କୁମାର ନାୟକ ପ୍ରକାଶ କରିଛନ୍ତି l ବନ୍ୟାଜଳ ସୁରୁଖୁରୁରେ ସମୁଦ୍ର କୁ ପ୍ରବାହିତ ହୋଇଯିବ ଓ ଦେବୀନଦୀ ବନ୍ଧ ପ୍ରତି କୌଣସି ବିପଦ ନଥିବା କହିଛନ୍ତି ନିମାପଡା ନିର୍ବାହୀ ଯନ୍ତ୍ରୀ ଶଶୀଭୁଷଣ ମିଶ୍ର l


