ଦେବ ଦୀପାବଳୀ ଉଦ୍ଦେଶ୍ୟରେ ଶ୍ରୀରାମ ମନ୍ଦିରଠାରେ ଜଳିଲା ୧୦ ହଜାର ଘୃତ ଦୀପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଶ୍ରୀରାମ ମନ୍ଦିରଠାରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ଦଶ ହଜାର ଘୃତଦୀପ ପ୍ରଜ୍ଜ୍ୱଳିତ କରାଯାଇଛି । ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ର୍ରମକୁ ଅର୍ଗସ ଟିଭିର ମୁଖ୍ୟ ପରିଚାଳକ ଶ୍ରୀ ସଞ୍ଜୟ ଜେନା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କହିଲେ ଯେ, ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ କରାଯାଇଛି । ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିନିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚତୁର୍ଦ୍ଦଶୀ ଦିନ ମା, ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଆଜି ଅମାବାସ୍ୟାରେ ଦଶରଥ, କୌଶଲ୍ୟା ଓ ଶୁକ୍ଳ, ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚା ମା’ଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ମନୋଜ ଲେଙ୍କା ସ୍ୱାଗତ ଭାଷଣରେ କହିଲେ ଯେ, ଏହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣ କରିବା ପାଇଁ ଗତ ୮ ବର୍ଷ ଧରି ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ତଥା ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପ ଦାନ କରାଯାଇ ଆସୁଅଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ସିଦ୍ଧଗିରି ମଠର ମହନ୍ତ ବିଶ୍ୱନାଥ ବାବା, ବିଧାୟକ ଆକାଶ ଦାସନାୟକ, ଅନୁଷ୍ଠାନର ଅଧ୍ୟକ୍ଷ ଇଂ ସନ୍ତୋଷ ସ୍ୱାଇଁ ବିଜେପିର ବରିଷ୍ଠ ନେତା ଗୋଲକ ବିହାରୀ ମହାପାତ୍ର, ନିବେଦିତା ଭଞ୍ଜ, ବରୁଣ ରାଜ ପ୍ରମୁଖ ଭାଗ ନେଇଥିବା ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ପ୍ରଭାତ ନାୟକ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ