ଦେଶୀ ମଦ ସହିତ ସ୍କୁଟି ଜବତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଣ୍ଡାରିପୋଖରୀ ମେଡିକାଲ ଛକ ଓ ମଞ୍ଜୁରୀରୋଡ ଠାରୁ ଚଢାଉ କରାଯାଇ ପ୍ରାୟ ୮୦ହଜାର ଟଙ୍କାର ଦେଶୀ ମଦ ଜବତ କରାଯାଇଥିବା ଜଣାଯାଇଛି । ଅବକାରୀ ନିରିକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅନାବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ । ଚଢାଉବେଳେ ଓଡି ୩୪ଏଫ୨୦୭୫ ମୋଟରସାଇକେଲ ଓ ଓଡି ୩୪ଏଲ୬୦୯୮ସ୍କୁଟିରେ ପ୍ରାୟ ୧୬୦ଲିଟର ଦେଶୀ ରନ୍ଧାମଦ ଯାଉଥିବାବେଳେ ଏହାକୁ ଜବତ କରାଯାଇଥିଲା । ଏହା ସହିତ ବେଆଇନ ମଦ ପରିବହନ କରୁଥିବା ଅଭିଯୋଗରେ ଯାଜପୁର ଟାଉନଥାନା ଅଧିନ ବିଦ୍ୟାଧରପୁର ଗ୍ରାମର କୁଳମଣୀ ଜେନା ଓ ଆନନ୍ଦପୁର ଥାନା ମୁର୍ଗାଗୋଠ ଗ୍ରାମର ବୀର ହୋକୁ ଅବକାରୀ ଥାନା ପକ୍ଷରୁ ଗିରଫ କରାଯାଇଥିଲା । ଏନେଇ ଅବକାରୀ ଥାନା ପକ୍ଷରୁ ୨ଗୋଟି ମାମଲା ରୁଜ୍ଜୁ କରାଯାଇଥିବାବେଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।


