ଦ୍ୱାଦଶ ବ୍ରିକ୍ସ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
ନୂଆଦିଲ୍ଲୀ: ବ୍ରିକ୍ସର ବିଭିନ୍ନ ସଂସ୍ଥା ଦ୍ୱାରା ଏହି ବ୍ରିଫିଙ୍ଗ ନିମନ୍ତେ ଧନ୍ୟବାଦ। ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କର ଦଶମ ବୈଠକର ସମୀକ୍ଷା ଲାଗି ମୁଁ ମିଷ୍ଟର ପାତ୍ରୁଶେଭଙ୍କୁ ଧନ୍ୟବାଦ ଜଣାଉଛି। ଯେମିତି ମୁଁ ପୂର୍ବରୁ କହିଛି, ବ୍ରିକ୍ସ ଆତଙ୍କବାଦ ନିରୋଧୀ ରଣନୀତିକୁ ଚୂଡ଼ାନ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଅଟେ। ମୋର ପରାମର୍ଶ ହେଉଛି ଯେ ଆମର ଏନଏସଏମାନେ ଏକ ଆତଙ୍କବାଦ ମୁକାବିଲା କାର୍ୟ୍ୟ ଯୋଜନା ଉପରେ ଆଲୋଚନା କରନ୍ତୁ । ମୁଁ ବ୍ରିକ୍ସ ବ୍ୟବସାୟ ପରିଷର ଅସ୍ଥାୟୀ ଅଧ୍ୟକ୍ଷ ମିଷ୍ଟର ସର୍ଗେଇ କାତିରିନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆମ ମଧ୍ୟରେ ଅର୍ଥନୈତିକ ଏକୀକରଣର ଏକ ମୁଖ୍ୟ ଦାୟିତ୍ୱ ଘରୋଇ କ୍ଷେତ୍ରର ହାତରେ ହିଁ ରହିବ। ମୋର ପରାମର୍ଶ ହେଉଛି ବ୍ରିକ୍ସ ବ୍ୟବସାୟ ପରିଷଦ ଆମର ଆପୋସ ବ୍ୟବସାୟକୁ ୫୦୦ ବିଲିୟନ ଡଲାର ଲକ୍ଷ୍ୟ ପର୍ଯ୍ୟନ୍ତ ନେଇଯିବା ଲାଗି ଏକ ଦୃଢ଼ ଯୋଜନା ପ୍ରସ୍ତୁତ କରୁ । ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦବୀ ସମ୍ଭାଳିଥିବା କାରଣରୁ ମୁଁ ମିଷ୍ଟର ମାର୍କୋସ ଟ୍ରୟଜୋଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ଏନଡିବିର ଆର୍ଥିକ ସହାୟତା କୋଭିଡ ସନ୍ଦର୍ଭରେ ଆହୁରି ଉପଯୋଗୀ ହେବ। ମୁଁ ଆନନ୍ଦିତ ଯେ ଏନଡିବି ରୁଷରେ ଅଫିସ ଖୋଲିଛି। ଏବଂ ମୁଁ ଆଶା କରୁଛି ଯେ ଆସନ୍ତାବର୍ଷ ଆପଣ ଭାରତରେ ନିଜର ଆଞ୍ଚଳିକ କାର୍ଯ୍ୟଳୟ ଆରମ୍ଭ ମଧ୍ୟ କରିବେ । ମୁଁ ମିଷ୍ଟର ଇଗର ଶୁଭାଲୋଭଙ୍କୁ ବ୍ରିକ୍ସ ଇଣ୍ଟର ବ୍ୟାଙ୍କ ସହଯୋଗ ମେକାନିଜମର କାର୍ଯ୍ୟ ଲାଗି ଅଭିନନ୍ଦନ ଜଣାଉଛି । ଏହା ଆନନ୍ଦର କଥା ଯେ ଆମ ବିକାଶ ବ୍ୟାଙ୍କଗୁଡ଼ିକ ମଧ୍ୟରେ ‘ପ୍ରିନ୍ସପଲ୍ସ ଫର ରେସପନସିଭ ଫିନାନ୍ସିଂ’ ଉପରେ ସହମତି ହୋଇଛି । ବ୍ରିକ୍ସ ମହିଳା ମେଣ୍ଟର ଆୟୋଜନ ରାଷ୍ଟ୍ରପତି ପୁତିନଙ୍କ ବିଶେଷ ପ୍ରାଥମିକତା ଥିଲା, ଏବଂ ତାଙ୍କର ଏହି ସଂକଳ୍ପ ଏବେ ସଫଳ ହୋଇଛି । ମୁଁ ମେଣ୍ଟର ଅଧ୍ୟକ୍ଷ, ମିସ ଏନା ନେସ୍ତେରୋଭାଙ୍କୁ ତାଙ୍କର ରିପୋର୍ଟ ଲାଗି ଧନ୍ୟବାଦ ଜଣାଉଛି । ଆମେ ଭାରତରେ ମହିଳା ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପ୍ରୟାସ କରୁଛୁ । ଆଶା କରୁଛୁ ଯେ ଏହି ମେଣ୍ଟ ଜରିଆରେ ଏହି କ୍ଷେତ୍ରରେ ଆନ୍ତଃବ୍ରିକ୍ସ ସହଯୋଗ ବୃଦ୍ଧି ପାଇବ । ପୁଣିଥରେ ଆପଣ ସମସ୍ତଙ୍କୁ, ବିଶେଷ କରି ଆମର ଆୟୋଜକ ରାଷ୍ଟ୍ରପତି ଶ୍ରୀମାନ ପୁତିନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।


