ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ କ୍ୟାବିନେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ସୋମବାର ୧ ଜୁନ, ୨୦୨୦ରେ ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ ବୈଠକ । ଏହି ବୈଠକରେ କେତେକ ଐତିହାସିକ ନିର୍ଣ୍ଣୟ ନିଆଯାଇଛି । ଯାହା ଭାରତର ପରିଶ୍ରମୀ କୃଷକ, ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ଉଠାଦୋକାନୀଙ୍କ ଜୀବନରେ ପରିବର୍ତନକାରୀ ପ୍ରଭାବ ପକାଇବ ।
ଏମଏସଏମଇଗୁଡ଼ିକୁ ସହାୟତା:-
ସାଧାରଣରେ ଏମଏସଏମଇ ଭାବେ ପରିଚିତ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ଭାରତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ସାରା ଦେଶରେ ବିଭିନ୍ନ ଅଂଚଳରେ ନୀରବତାର ସହିତ କାର୍ଯ୍ୟକ୍ଷମ ଥିବା ୬ କୋଟିରୁ ଅଧିକ ଏମଏସଏମଇ ଏକ ସୁଦୃଢ଼ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।
କୋଭିଡ-୧୯ ମହାମାରୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ନିର୍ମାଣରେ ଏମଏସଏମଇର ଭୂମିକାକୁ ତୁରନ୍ତ ଚିହ୍ନଟ କରିଥିଲେ । ସେଥିପାଇଁ ଏମଏସଏମଇଗୁଡ଼ିକୁ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କରାଯାଇଥିବା ଘୋଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବେ ସାମିଲ କରାଯାଇଥିଲା । ଏହି ପ୍ୟାକେଜ ଅନ୍ତର୍ଗତ ଏମଏସଏମଇ କ୍ଷେତ୍ର ପାଇଁ ଯଥେଷ୍ଟ ଅର୍ଥରାଶି ଆବଂଟନ କରାଯିବା ସହିତ ଅର୍ଥବ୍ୟବସ୍ଥାର ସୁଧାର ଲାଗି ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ପ୍ରାଥମିକତା ଦିଆଗଲା । ଅନେକ ପ୍ରମୁଖ ଘୋଷଣା ସହ ଜଡ଼ିତ ପଦକ୍ଷେପ ପୂର୍ବରୁ କାର୍ଯ୍ୟକାରୀ କରାଯିବା ଆରମ୍ଭ ହୋଇସାରିଛି ।
କେନ୍ଦ୍ର ସରକାର ଆଜି ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ଅନ୍ୟ ଘୋଷଣାଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଏଥିରେ ସାମିଲ ରହିଛି, ଏମଏସଏମଇ ପରିଭାଷାରେ ବୃଦ୍ଧି ଲାଗି ସଂଶୋଧନ । ବ୍ୟବସାୟକୁ ସହଜ କରିବା ଦିଗରେ ଏହା ଏକ ପଦକ୍ଷେପ । ଏହା ଏମଏସଏମଇ କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିବ, ଚାପଗ୍ରସ୍ତ ଏମଏସଏମଇଗୁଡ଼ିକୁ ଇକ୍ୟୁଟି ସହାୟତା ପ୍ରଦାନ କରିବା ଲାଗି ଅଧୀନସ୍ଥ ଋଣ ରୂପରେ ୨୦, ୦୦୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବକୁ ଆଜି କ୍ୟାବିନେଟ ଔପଚାରିକ ଭାବେ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା ୨ ଲକ୍ଷ ଚାପଗ୍ରସ୍ତ ଏମଏସଏମଇ ଲାଭାନ୍ୱିତ ହେବେ, ଏମଏସଏମଇ ଲାଗି ୫୦,୦୦୦ କୋଟି ଟଙ୍କାର ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟ ମଞ୍ଜୁରି ମିଳିଛି । ଏହା ଏମଏସଏମଇଗୁଡ଼ିକୁ ଋଣ-ଇକ୍ୟୁଟି ଅନୁପାତର ପରିଚାଳନା ଏବଂ ସେମାନଙ୍କ କ୍ଷମତା ବୃଦ୍ଧିରେ ସହାୟତା ନିମନ୍ତେ ଏକ ଢାଂଚା ଉପଲବ୍ଧ କରାଇବ । ଏହା ସେମାନଙ୍କୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ଲାଗି ସୁଯୋଗ ମଧ୍ୟ ପ୍ରଦାନ କରିବ ।
ଏମଏସଏମଇ ପରିଭାଷାରେ ବୃଦ୍ଧି ପାଇଁ ସଂଶୋଧନ:-
ଭାରତ ସରକାର ଆଜି ଏମଏସଏମଇ ପରିଭାଷାରେ ଆହୁରି ଅଧିକ ସଂଶୋଧନ କରିବା ଲାଗି ନିଷ୍ପତି ନେଇଛନ୍ତି । ପ୍ୟାକେଜ ଘୋଷଣାରେ ସୂକ୍ଷ୍ମ ଉତ୍ପାଦନ ଏବଂ ସେବା ୟୁନିଟଗୁଡ଼ିକର ପରିଭାଷାକୁ ୧ କୋଟି ଟଙ୍କାର ନିବେଶ ଏବଂ ୫ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଲଘୁ ଉଦ୍ୟୋଗଗୁଡ଼ିକର ସୀମାକୁ ୧୦ କୋଟି ଟଙ୍କାର ନିବେଶ ଏବଂ ୫୦ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଏକ ମଧ୍ୟମ ଉଦ୍ୟୋଗଗୁଡ଼ିକର ନିବେଶ ସୀମାକୁ ୨୦ କୋଟି ଟଙ୍କା ଏବଂ କାରବାର ସୀମାକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୦୬ରେ ଏମଏସଏମଇ ବିକାଶ ଆଇନ ଲାଗୁ ହୋଇଥିଲା । ୧୪ ବର୍ଷ ପରେ ଏଥିରେ ସଂଶୋଧନ କରାଯାଇଛି । ପ୍ୟାକେଜ ୧୩ ମେ ୨୦୨୦ରେ ଘୋଷଣା ହେବା ପରେ କେତେକ ପ୍ରସ୍ତାବ ମିଳିଥିଲା ଯେ ଘୋଷିତ ସଂଶୋଧନ ତଥାପି ବଜାର ଓ ମୂଲ୍ୟ ନିର୍ଦ୍ଧାରଣ ସ୍ଥିତି ଅନୁରୂପ ହୋଇନାହିଁ । ତେଣୁ ଏହାକୁ ଆହୁରି ଅଧିକ କରି ସଂଶୋଧନ କରାଯିବା ଆବଶ୍ୟକ । ଏସବୁ ପ୍ରସ୍ତାବକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ମଧ୍ୟମ ଉତ୍ପାଦନ ଏବଂ ସେବା ୟୁନିଟଗୁଡ଼ିକର ସୀମାକୁ ଆହୁରି ବଢ଼ାଇବା ଲାଗି ନିଷ୍ପତି ନେଇଛନ୍ତି । ବର୍ତମାନ ଏହି ସୀମାକୁ ୫୦ କୋଟି ଟଙ୍କାର ନିବେଶ ଏବଂ ୨୫୦ କୋଟି ଟଙ୍କାର କାରବାରକୁ ବୃଦ୍ଧି କରି ଦିଆଯାଇଛି । ଏହାଛାଡ଼ା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନିଆଯାଇଛି । ସୂକ୍ଷ୍ମ, ଲଘୁ କିମ୍ବା ମଧ୍ୟମ, ଯେକୌଣସି ଏମଏସଏମଇ ଉଦ୍ୟୋଗର ରପ୍ତାନି ସଂକ୍ରାନ୍ତ କାରବାରକୁ ଟର୍ଣ୍ଣଓଭର ଭାବେ ଗଣନା କରାଯିବ ନାହିଁ ।
ଉଠାଦୋକାନୀଙ୍କୁ ସହାୟତା:-
ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଠାଦୋକାନୀମାନଙ୍କୁ ଅଳ୍ପ ସୁଧରେ ଶସ୍ତା ଋଣ ଦେବା ଲାଗି ଏକ ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ ସୁବିଧା ଯୋଜନା-ପିଏମ ସ୍ୱନିଧି-ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧିର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ସେମାନଙ୍କୁ ପୁଣିଥରେ କାମ ଆରମ୍ଭ କରିବା ଏବଂ ନିଜର ଜୀବନଜୀବିକା ନିର୍ବାହ କରିବା ଲାଗି ସେମାନଙ୍କୁ ସକ୍ଷମ କରିବା କ୍ଷେତ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ବିଭିନ୍ନ ପ୍ରକାରର କ୍ଷୁଦ୍ର ବ୍ୟବସାୟୀ, ଭେଣ୍ଡର, ହକର, ବୁଲା ବିକାଳି, ଉଠାଦୋକାନୀ, ଠେଲାଗାଡ଼ିରେ ଫଳ ବିକ୍ରେତା ଆଦିଙ୍କ ସମେତ ୫୦ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରୁ ଲାଭ ପାଇପାରିବେ ।
ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସାମଗ୍ରୀରେ ପନିପରିବା, ଫଳ, ରେଡି ଟୁ ଇଟ ଷ୍ଟ୍ରିଟ ଫୁଡ, ଚା’, ପକୁଡ଼ି, ବ୍ରେଡ, ଅଣ୍ଡା, ପୋଷାକ, ଅଳଙ୍କାର, ଜୋତା, କାରିଗର ସାମଗ୍ରୀ, ବହି/ଷ୍ଟେସନାରୀ ଆଦି ସାମିଲ ରହିଛି । ସେବାଗୁଡ଼ିକ ମଧ୍ୟରେ ବାରିକ, ମୋଚି, ପାନ ଦୋକାନୀ ଏବଂ ଲଣ୍ଡ୍ରି ଦୋକାନ ସାମିଲ ରହିଛି । କୋଭିଡ-୧୯ ସଙ୍କଟ ସମୟରେ ଏମାନେ ଯେପରି ଭାବେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କ ପ୍ରତି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି । ଏଭଳି ସମୟରେ ସେମାନଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ଲାଗି ଶସ୍ତା ଋଣ ପ୍ରଦାନ କରାଯିବାର ଜରୁରି ଆବଶ୍ୟକତା ରହିଛି । ସହରୀ ସ୍ଥାନୀୟ ପ୍ରଶାସନ ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ଐତିହାସିକ ଯୋଜନା:-
ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ଯେ ସହରୀ/ଗ୍ରାମୀଣ କ୍ଷେତ୍ର ପାଶ୍ୱର୍ବର୍ତୀ ରାସ୍ତାରେ ସାମଗ୍ରୀ ବିକ୍ରେତା ସହରୀ ଜୀବିକା କାର୍ଯ୍ୟକ୍ରମର ହିତାଧିକାରୀ ହୋଇପାରିଛନ୍ତି । ବୁଲାବିକାଳୀମାନେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଚ୍ଚର ଲାଭ ଉଠାଇପାରିବେ ଯାହାକୁ ସେମାନେ ଗୋଟିଏ ବର୍ଷରେ ମାସିକ କିସ୍ତିରେ ପରିଶୋଧ କରିପାରିବେ । ସଠିକ ସମୟରେ/ଶୀଘ୍ର ଋଣ ପରିଶୋଧ କଲେ ବାର୍ଷିକ ୭% ହାରରେ ସୁଧ ସବସିଡି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୬ ମାସ ପର୍ଯ୍ୟନ୍ତ ଜମା କରାଯିବ । ଋଣ ଆଗୁଆ ପରିଶୋଧ କରିବା ଲାଗି କୌଣସି ଜୋରିମାନା ପଡ଼ିବ ନାହିଁ ।
ଏହି ଯୋଜନାରେ ଋଣ ସୀମାକୁ ନିର୍ଦ୍ଧାରିତ ସମୟରେ/ଶୀଘ୍ର ପରିଶୋଧ କରିବା ଲାଗି ଋଣ ସୀମାରେ ବୃଦ୍ଧି କରିବାରେ ସହାୟତା ମିଳିଥାଏ ଯାହାଦ୍ୱାରା ବିକ୍ରେତାଙ୍କୁ ଆର୍ଥିକ ଶିଢ଼ିରେ ଚଢ଼ିବା ଲାଗି ନିଜର ମହତ୍ୱକାଂକ୍ଷା ପୂରଣ କରିବାର ସୁଯୋଗ ମିଳିବ ।
ତୃଣମୂଳସ୍ତରରେ ଉପସ୍ଥିତି ଏବଂ ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ସହରାଂଚଳ ଗରିବଙ୍କ ସହିତ ନିବିଡ଼ ସମ୍ପର୍କ ପାଇଁ ପ୍ରଥମର ଏମଏଫଆଇ/ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ/ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କଗୁଡ଼ିକୁ ଏହି ଯୋଜନାରେ ସାମିଲ ହେବାର ଅନୁମତି ଦିଆଯାଇଛି ।
ସଶକ୍ତିକରଣ ଲାଗି ପ୍ରଯୁକ୍ତିର ଉପଯୋଗ:-
ପ୍ରଭାବୀ ବିତରଣ ଏବଂ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ପ୍ରଯୁକ୍ତିର ଲାଭ ଉଠାଇବାର ସରକାରଙ୍କ ଦୃଷ୍ଟି ଅପୁରୂପ ଏହି ଯୋଜନାକୁ ଏଣ୍ଡ ଟୁ ଏଣ୍ଡ ସମାଧାନ ସହିତର ପରିଚାଳନା ଲାଗି ୱେବ ପୋର୍ଟାଲ/ମୋବାଇଲ ଆପ ସହିତ ଏକ ଡିଜିଟାଲ ପ୍ଲାଟଫର୍ମ ବିକଶିତ କରାଯାଉଛି । ଏହି ଆଇଟି ପ୍ଲାଟଫର୍ମ ଭେଣ୍ଡର୍ସମାନଙ୍କୁ ଔପଚାରିକ ଆର୍ଥିକ ପ୍ରଣାଳୀରେ ସାମିଲ କରିବାରେ ସହାୟକ ହେବ । ଏହି ପ୍ଲାଟଫର୍ମ ଋଣ ପରିଚାଳନା ଲାଗି ସିଡବିର ଉଦ୍ୟୋଗୀ ମିତ୍ର ପୋର୍ଟାଲ ଏବଂ ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ପୈସା ପୋର୍ଟାଲ ସହିତ ଯୋଡ଼ିବ ଯାହାଦ୍ୱାରା ସୁଧ ସବସିଡିକୁ ସ୍ୱୟଂକ୍ରିୟ ଭାବେ ନିୟନ୍ତ୍ରଣ କରାଯାଇପାରିବ ।
ଡିଜିଟାଲ କାରବାରକୁ ପ୍ରୋତ୍ସାହନ:-
ଏହି ଯୋଜନା ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ଲୋକମାନଙ୍କୁ ମାସିକ ନଗଦ ଫେରସ୍ତ ଜରିଆରେ ଡିଜିଟାଲ କାରବାର ନିମନ୍ତେ ପ୍ରୋତ୍ସାହନ ଦେବ ।
କ୍ଷମତା ନିର୍ମାଣ ପ୍ରତି ଗୁରୁତ୍ୱ:-
ରାଜ୍ୟ ସରକାର, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ସହରାଂଚଳ ଜୀବିକା ମିଶନ, ସହରାଂଚଳ ପ୍ରଶାସନ, ସିଡବି, କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରାଇଜେସ, ଭାରତୀୟ ରାଷ୍ଟ୍ରୀୟ ପରିଶୋଧ ନିଗମ ଏବଂ ଡିଜିଟାଲ ପେମେଂଟ ଏଗ୍ରେିଗେଟର୍ସର ରାଜ୍ୟ ମିଶନ ସହିତ ମିଶି ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଅଂଶୀଦାରଙ୍କ ପାଇଁ ଏବଂ ଆଇଇସି ଗତିବିଧିର କ୍ଷମତା ନିର୍ମାଣ ନିମନ୍ତେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମକୁ ଜୁନ ମାସରେ ସାରା ଦେଶରେ ଶୁଭାରମ୍ଭ କରାଯିବ । ଜୁଲାଇ ମାସରେ ଋଣ ପ୍ରଦାନ ଆରମ୍ଭ ହେବ ।
ଜୟ କିସାନ ଭାବନାର ଉଦ୍ରେକ:-
ଖରିଫ ଋତୁ ୨୦୨୦-୨୧ ଲାଗି ସରକାର ଉତ୍ପାଦନର ବ୍ୟୟର ଦେଢ଼ଗୁଣା ସ୍ତରରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନିର୍ଦ୍ଧାରଣ କରିବା ଲାଗି ସରକାର ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି । କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଆଜି ଖରିଫ ଋତୁ ୨୦୨୦-୨୧ ଲାଗି ୧୪ଟି ଫସଲର ଏମଏସପି ଘୋଷଣା କରାଯାଇଛି । ଏହି ୧୪ଟି ଫସଲରେ ବ୍ୟୟ ତୁଳନାରେ ଆୟ ୫୦ରୁ ୮୩% ପର୍ଯ୍ୟନ୍ତ ହେବ । କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଲାଗି ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ କରିବାର ତାରିଖକୁ ଭାରତ ସରକାର ୩୧.୦୮.୨୦୨୦ ପର୍ଯ୍ୟନ୍ତ ବଢ଼ାଇବା ନିମନ୍ତେ ନିଷ୍ପତି ନେଇଛନ୍ତି । କୃଷକମାନଙ୍କୁ ସୁଧ ଛାଡ଼ ଓ ଶୀଘ୍ର ପୁନଃପରିଶୋଧର ପ୍ରୋତ୍ସାହନ ଲାଭ ମଧ୍ୟ ମିଳିବ । ସେଭଳି ସ୍ୱଳ୍ପକାଳିନ କୃଷି ଋଣ ଯାହାର ପରିଶୋଧ ଅବଧି ୧ ମାର୍ଚ୍ଚ ୨୦୨୦ରୁ ୩୧ ଅଗଷ୍ଟ, ୨୦୨୦ ମଧ୍ୟରେ ପଡ଼ୁଛି ସେମାନଙ୍କୁ ବ୍ୟାଙ୍କର ୨% ସୁଧ ଛାଡ଼ ଏବଂ କୃଷକମାନଙ୍କୁ ୩% ଶୀଘ୍ର ପୁନଃପରିଶୋଧ ପ୍ରୋତ୍ସାହନ ଲାଭ ଲଗାତାର ମିଳିବ । ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବ୍ୟାଙ୍କଗୁଡ଼ିକୁ ବାର୍ଷିକ ୨% ପ୍ରତିବର୍ଷ ସୁଧ ଛାଡ଼ ସୁବିଧା ସହିତ କୃଷକମାନଙ୍କୁ ବାର୍ଷିକ ୭% ଦରରେ ଋଣ ପ୍ରଦାନ ବ୍ୟବସ୍ଥା ଏବଂ ନିର୍ଦ୍ଧାରିତ ସମୟରେ ପୁନଃପରିଶୋଧ ଲାଗି କୃଷକମାନଙ୍କୁ ୩% ଅତିରିକ୍ତ ଲାଭ ପ୍ରଦାନ କରାଯିବାର ଅର୍ଥ ହେଉଛି ଚାଷୀମାନଙ୍କ ପାଇଁ ବାର୍ଷିକ ୪% ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପଲବ୍ଧ ହୋଇପାରିବ ।
କୃଷକେମାନଙ୍କୁ କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ମିଳୁଥିବା ଋଣ ସହିତ ରିହାତି ଦରରେ ସ୍ୱଳ୍ପକାଳୀନ ଫସଲ ଋଣ ପ୍ରଦାନ କରିବା ଲାଗି ସୁଧ ନିବାରଣ ଯୋଜନା ଆରମ୍ଭ କରାଯାଇଛି । ଗତ କିଛି ସପ୍ତାହ ମଧ୍ୟରେ ଅନେକ କୃଷକ ସ୍ୱଳ୍ପକାଳୀନ ଫସଲ ଋଣ ପରିଶୋଧ ନିମନ୍ତେ ବ୍ୟାଙ୍କ ଶାଖା ନିକଟରେ ପହଁଚିବାରେ ସକ୍ଷମ ହୋଇପାରିନାହାନ୍ତି । କ୍ୟାବିନେଟର ଏହି ନିଷ୍ପତି ଫଳରେ କୋଟି କୋଟି କୃଷକମାନଙ୍କୁ ସହାୟତା ମିଳିପାରିବ ।
ଗରିବଙ୍କ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା :-
ଗରିବ ଓ ବଂଚିତଙ୍କ କଲ୍ୟାଣ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । କରୋନା ଭୂତାଣୁ ମହାମାରୀ ସମୟରେ ଲକଡାଉନ ସମୟରେ ପ୍ରଥମ ଦିନରୁ ହିଁ ସରକାର ଗରିବ ଏବଂ ବଂଚିତଙ୍କ ପ୍ରତି ସମ୍ବେଦନଶୀଳ ରହିଛନ୍ତି । ଲକଡାୁନ ଆରମ୍ଭ ହେବାର ଦୁଇ ଦିନ ମଧ୍ୟରେ ୨୬ ମାର୍ଚ୍ଚ, ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସରକାରଙ୍କ ସମ୍ବେଦନଶୀଳତାର ପ୍ରତିଫଳନ ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିମଧ୍ୟରେ ରହିଛି ୮୦ କୋଟି ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ନଗଦ ହସ୍ତାନ୍ତର, ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗଙ୍କ ଖାତାରେ ଅର୍ଥ ଜମା କରିବା ଏବଂ ପିଏମ କିସାନ ଯୋଜନାରେ ଆର୍ଥିକ ସହାୟତା ଉପଲବ୍ଧ କରାଇବା । ସରକାର ଏସବୁ ପଦକ୍ଷେପ କାରଣରୁ ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ସମ୍ବେଦନଶୀଳ ବର୍ଗଙ୍କୁ ଯଥେଷ୍ଟ ଲାଭ ମିଳିପାରିଛି । କେବଳ ଘୋଷଣା ନୁହେଁ, ବରଂ ମାତ୍ର କିଛି ଦିନ ମଧ୍ୟରେ କୋଟି କୋଟି ଲୋକଙ୍କୁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିପାରିପାରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଛି, ରାସନ କାର୍ଡ ନଥିବା ଲୋକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି । ସହରାଂଚଳ ବାସହୀନ ଓ ପ୍ରବାସୀମାନଙ୍କୁ ଶସ୍ତାରେ ଆବାସ ଯୋଗାଣ ନିମନ୍ତେ ଏକ ନୂଆ ଘରଭଡ଼ା ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଅନେକ ଘୋଷଣା କରାଯାଇଛି । କୃଷକମାନଙ୍କ କଲ୍ୟାଣ ନିମନ୍ତେ ବ୍ୟାପକ ସୁଧାର ନିମନ୍ତେ ଘୋଷଣା କରାଯାଇଛି । କୃଷକମାନଙ୍କ ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବ୍ୟବସ୍ଥାକୁ ଦୂର କରାଯାଇଛି, ଯାହାଫଳରେ ସେମାନେ ଅଧିକ ଆୟ କରିପାରିବେ । ଏଥିସହିତ କୃଷି ଭିତିଭୂମିରେ ନିବେଶ ଲାଗି ଅନେକ ପ୍ରସ୍ତାବ ଦିଆଯାଇଛି । ମତ୍ସ୍ୟପାଳ ଭଳି ସହାୟକ କୃଷି ଗତିବିଧିକୁ ଆର୍ଥିକ ପ୍ୟାକେଜରେ ସାମିଲ କରାଯାଇଛି । ସରକାରଙ୍କ ପ୍ରତ୍ୟେକ ପଦକ୍ଷେପରେ ଗରିବ ଓ ବଂଚିତ ଲୋକମାନଙ୍କ ପ୍ରତି ସହାନୁଭୂତି ଓ ସମ୍ବେଦନଶୀଳତା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ