ଧାନରେ ପତ୍ରପୋଡା, କ୍ଷେତ୍ର ପରିଦର୍ଶନ କଲେ କୃଷି ଅଧିକାରୀ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ସଂପ୍ରତି ଚାଷ ହୋଇଥିବା ଖରିଫ ଧାନ କ୍ଷେତରେ ପତ୍ରପୋଡା ରୋଗ ବ୍ୟାପୁଥିବାବେଳେ ଏହାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚାଷ ହୋଇଥିବା ବିଭିନ୍ନ ଧାନ କ୍ଷେତରେ ଏବେ ପୋକ ଉପଦ୍ରବ ଲାଗି ରହିଛି । ବ୍ଲକର ରହଣିଆ, ସରସଦା, ଦକ୍ଷିଣବାଡ, ତେସିଙ୍ଗା, ପାଟୁଳି, ରାଜେନ୍ଦ୍ରପୁର ପ୍ରମୁଖ ଅଞ୍ଚଳରେ ପତ୍ରପୋଡା ରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି । ବର୍ତ୍ତମାନ ଧାନ ଥୋଡ ସମୟ ହୋଇଥିବାବେଳେ ଏହି ସମୟରେ ଗଛର ସମସ୍ତ ପତ୍ର ପୋଡିଯାଉଥିବାରୁ ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେବୋଲି ଜଣାପଡିଛି । ଧାନ କ୍ଷେତରେ ଦେଖାଦେଇଥିବା ଏହି ରୋଗର ପ୍ରତିକାର ପାଇଁ କୌଣସି ରାସାୟନିକ ବିଷ କାମ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ଅଞ୍ଚଳରୁ ଆପତ୍ତି ଅଭିଯୋଗ ହେବା ପରେ ଜିଲ୍ଲା କୃଷି ଅଧିକାରୀ ଜଗନ୍ନାଥ ନନ୍ଦଙ୍କ ନେତୃତ୍ୱରେ ଏକ ଟିମ ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଥିବା ଜଣାପଡିଛି । କୃଷି ବୈଜ୍ଞାନିକ ଅରୁଣ ପାତ୍ର, ସହକାରୀ ଅଧିକାରୀ ଶ୍ରୀଧର ଦାସ, ରାଧାରମଣ ମହନ୍ତ ପ୍ରମୁଖ ଫତେପୁର, କୁଲଣା, ବିଶୋଳ ପ୍ରମୁଖ ଅଞ୍ଚଳ ପରିଦର୍ଶନ କରି ସେଠାରେ ଚାଷୀମାନଙ୍କ ସହ ପତ୍ରପୋଡା ରୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଭାବିତ କୃଷିକ୍ଷେତରେ କେଉଁ ବିଷ ପ୍ରୟୋଗ କରିବେ ସେନେଇ ଚାଷୀମାନଙ୍କୁ କୃଷି ବିଶେଷଜ୍ଞ ପରାମର୍ଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ