ଧୂଳିଧୂଆଁରେ ଅତିଷ୍ଠ ଜୁରୁଡିବାସୀ , ଖାଦ୍ୟ ପଦାର୍ଥରେ ଜମି ଯାଉଛି ଧୂଳି
ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଂଚଳବାସୀ ଧୂଳିଧୂଆଁରେ ଅତିଷ୍ଟ ହୋଇପଡିଥିବା ବେଳେ ଖାଦ୍ୟପର୍ଦାରରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି । ଏଠାରେ ବିଭିନ୍ନ ଖଣି କମ୍ପାନୀ ମାନେ ଖଣିରେ ଖଣିଜ ଉତୋଳନ ଓ ପରିବହନ କରୁଥିବାରୁ ଅଂଚଳର ବାୟୁମଣ୍ଡଳ ଧୂଳିଧୂଆଁରେ ଆଛାଦିତ ହୋଇଛି । ଏପରିକି ବାମେବାରୀ-ଜୁରୁଡି ରାଜ୍ୟ ରାଜପଥ ନଂ ୨ଟି ଜରାଜୀର୍ଣ୍ଣ ହୋଇପଡିଥିବାରୁ ସ୍ଥାନୀୟ ଜୁରୁଡି ଅଂଚଳବାସୀ ଧୂଳିଧୂଆଁରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୁରୁଡି ଅଂଚଳର ଯୁବକ ଧନୁର୍ଯୟ କୁଲଦୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜୁରୁଡି ଖଣି ଅଂଚଳରେ ହଜାର ହଜାର ଟ୍ରକ ବିଭିନ୍ନ ଖଣି କମ୍ପାନୀର ଖଣିଜ ପରିବହନ କରୁଛନ୍ତି । ଜରାଜୀର୍ଣ୍ଣ ରାସ୍ତା ହେତୁ ଟ୍ରକ ଡମ୍ପର ଚଳାଚଳ ବେଳେ ପ୍ରବଳ ମାତ୍ରାରେ ଧୂଳି ଉଡି ସ୍ାନୀୟ ଅଂଚଳବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହା ସହି ରାସ୍ତା ମରାମତି କାର୍ଯ୍ୟ ଚାଲୁଥିଲେ ହେଁ, ରାସ୍ତାରେ ଜଳସିଂଚନର ବ୍ୟବସ୍ଥା କାଯାଉନିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ଅନେକ ସମୟରେ ରାସ୍ତାରେ ଜଳସିଂଚନ ଦାବି କରି ରାସ୍ତାରୋକ ଆନ୍ଦୋଳନ କରାଯିବା ବେଳେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ବିଭିନ୍ନ ଖଣି କମ୍ପାନୀକୁ ଖଣିମଣ୍ଡଳର ରାସ୍ତାରେ ପାଣି ସିଂଚନର ଦାୟିତ୍ୱ ଦିଆଯାଇଥିଲା । ଜରିବାହାଲଠାରୁ ହେଁସାବେଡା ପର୍ଯ୍ୟନ୍ତ ଏକ ଖଣି କମ୍ପାନୀକୁ ରାସ୍ତାରେ ପାଣି ପକାଇବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ହେଁସାବେଡାଠାରୁ କାଳିମାଟି ପର୍ଯ୍ୟନ୍ତ ଅନ୍ୟ ଏକ ଖଣି କମ୍ପାନୀକୁ ଦିଆଯାଇଛି । ଜରିବାହାଲରୁ କାଳିମାଟି ପର୍ଯ୍ୟନ୍ତ ଜଳସିଂଚନର ବ୍ୟବସ୍ଥା କାଁ ଭାଁ ହେଉଥିବା ବେଳେ ଜରିବାହାଲରୁ ଜୁରୁଡି କ୍ରେଚ ହଟିଂ ପର୍ଯ୍ୟନ୍ତ ଅନ୍ୟ ଖଣି କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ହେଲେ ଉକ୍ତ ଖଣି କମ୍ପାନୀ ତାର ଲିଜ୍ ଅବଧି ଶେଷ ହୋଇଯାଇଥିବା ଦର୍ଶାଇ ରାସ୍ତାରେ ଜଳସିଂଚନର ବ୍ୟବସ୍ଥା କରୁନଥିବା ବେଳେ, ଏବେବି ମଧ୍ୟ ପରିବହନ କାର୍ଯ୍ୟ ଚଳାଇଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକେ ଅନେକ ଥର ରାସ୍ତା ରୋକ କଲେ ଦିନେ ଦୁଇଦିନ ପର୍ଯ୍ୟନ୍ତ ରାସ୍ତାରେ ପାଣି ପକାଇ ପୁଣି ବନ୍ଦ କରି ଦିଆଯାଉଛି । ଏଣୁ ଅଂଚଳରେ ଧୂଳି ଧୂଆଁ ଜନିତ ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରୁନାହିଁ । ଏହାଦ୍ୱାରା ଅତିଷ୍ଠ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଅତିଷ୍ଠ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଅନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସ୍ଥାନୀୟ ଅଂଚଳବାସୀ ଇଶ୍ୱର ବିରୁଆ, ଅରୁଣ ସର୍ଦାର, ବିଜୟ ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ଧୂଳି ଧୂଆଁର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ଲୋକମାନେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଘର ଗୁଡିକରେ ୧ ଇଂଚ ମୋଟାରେ ପ୍ରତିଦିନ ଧୂଳି ପରସ୍ତ ଜମି ରହୁଛି । ଅନେକ ସମୟରେ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳରେ ମଧ୍ୟ ଧୂଳି ଜମି ଯାଉଥିବାରୁ ଏଗୁଡିକ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଏହି ଧୂଳି ଧୂଆଁ ହେତୁ ଏହି ଖଣି ଅଂଚଳର ସ୍ଥାନୀୟ ଲୋକେ ବିଭିନ୍ନ ଶ୍ୱାସଜନୀତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରଶାସନକୁ ଏ ସମ୍ପର୍କରେ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ ।


