ନଦୀରେ ଯୁବକ ଭାସିଯିବା ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଉତ୍ୟକ୍ତ ଲୋକଙ୍କ ଧାରଣା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଡାକପାଲା ପିଲାସାଲୁଙ୍କି ନଦୀ ବ୍ରିଜ ଉପରେ ତାପସ ରଞ୍ଜନ ଘଟାଲ ନାମକ ଜଣେ ଯୁବକ ବୁଧବାର ଦିନ ବାଇକ ସହ ଭାସି ଯାଇଥିଲେ। ଗୁରବାର ଦିନ ପ୍ରାୟ ୧୦ କିମି ଦୂର ଡକାଙ୍ଗି ଗ୍ରାମ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବ୍ୟବଚ୍ଛେଦ ପରେ ଶୁକ୍ରବାର ଦିନ ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ତାନ୍ତର କରାଯାଇଥିଲା। ଉତ୍ୟକ୍ତ ଡାକପାଲା ବାସୀ ତାପସଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରଖି ଧାରଣା ଦେଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଡାକପାଲାଠାରେ ନୂତନ ଉଚ୍ଚ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ। ସୂଚନାଯୋଗ୍ୟ ଫୁଲବାଣୀ ପୌରାଞ୍ଚଳର ନଦୀଖଣ୍ଡି ସାହି ଓ ଡାକପାଲା ମଝିରେ ରହିଥିବା ପିଲାସାଲୁଙ୍କି ନଦୀ ଉପରେ ଥିବା ପୋଲ ଅତି ସଂକୀର୍ଣ୍ଣ ଓ ଉଚ୍ଚତା କମ ହୋଇଥିବା ଯୋଗୁ ଅସରାଏ ବର୍ଷା ହେଲେ ସେହି ପୋଲ ଉପର ଦେଇ ପାଣି ପ୍ରବାହିତ ହେଉଛି। ଫଳରେ ପୌର ପରିଷଦ ଅନ୍ତର୍ଗତ ୨ ନମ୍ବର ୱାର୍ଡର ଶତାଧିକ ଲୋକ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ବନ୍ୟା ଜଳରେ ଲୋକେ ଭାସିଯାଇ ମୃତ୍ୟୁ ବରଣ କରୁଛନ୍ତି ଓ ଦୁର୍ଘଟଣା ବି ହେଉଛି l ଫଳରେ ସେଠାରେ ଉଚ୍ଚା ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ। ଏହାସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଧାରଣାରତ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି। ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ଧରି ଧାରଣା ଦେବା ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆନ୍ଦୋଳନ କରିଥିଲେ। ଏହାପରେ ସେମାନଙ୍କ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଜନତା ଧାରଣାରୁ ଉଠିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ