ନବୀନଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦସ୍ତଖତ ଅଭିଯାନକୁ ପ୍ରଶଂସା କଲେ ପ୍ରଣବ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସାମାଜିକ ଅନୁଷ୍ଠାନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକୁ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଭୂୟସୀ ପ୍ରଶଂସା କରିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ବାସଭବନ କାର୍ଯ୍ୟାଳୟରେ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ‘ସ୍କାନ’ର ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏବଂ ରାଜ୍ୟ ସଂଯୋଜକ ସରୋଜ ସାହୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ପ୍ରତି ଘରୁ ଦୀର୍ଘ ୫ ମାସ ବ୍ୟାପୀ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ୧୪୭ ବିଧାନସଭା କ୍ଷେତ୍ର ଅନ୍ତଗର୍ତ ୫ ମହାନଗର ନିଗମ, ୩୪ ମ୍ୟୁନିସିପାଲିଟି, ୬୭ ଏନ୍‌ଏସି ଅଞ୍ଚଳ ସହ ୩୧୪ ବ୍ଲକର ୫୩,୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ଆସନ୍ତା ବର୍ଷ ଜାନୁୟାରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବାବେଳେ ଜାନୁୟାରୀ ୨୩ ତାରିଖ ଦିନ ମହାମହୀମ ରାଷ୍ଟ୍ରପତିଙ୍କୁ ସମସ୍ତ ଦସ୍ତଖତ ପତ୍ର ଗୁଡ଼ିକ ପ୍ରଦାନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ନିବେଦନ କରାଯିବ । ଏହି ଆଲୋଚନା ସମୟରେ ସମ୍ବଲପୁର ଜିଲ୍ଲା ସଂଯୋଜକ ହୀରାଲାଲ ବେହେରା ସାମିଲ ଥିଲେ । ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ