ମେଡିକାଲ କଲେଜ ଶିକ୍ଷାରମ୍ଭର ୪ର୍ଥ ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା ): ଫକୀର ମୋହନ ମେଡିକାଲ କଲେଜ ଡାକ୍ତରୀ ଶିକ୍ଷାରମ୍ଭର ଚତୁର୍ଥ ବାର୍ଷିକ ଉତ୍ସବ ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ମେଡିକାଲ କଲେଜର ମିଳିତ ସହଯୋଗରେ ଏହି ଉତ୍ସବ ପାଳନ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କ୍ରିୟାନୁଷ୍ଠାନ କମିଟି ସଭାପତି ମମତା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ମେଡିକାଲ କଲେଜ ଅଧ୍ୟକ୍ଷ ଡାକ୍ତର ରାମଚନ୍ଦ୍ର ଗିରି, ସହକାରୀ ଅଧ୍ୟକ୍ଷା ଡାକ୍ତର ମନୋରମା ସ୍ୱାଇଁ, ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକପ୍ତର ଦୁଲାଳ ସେନଜଗଦ୍ଦେବ, କ୍ରିୟାନୁଷ୍ଠାନ କାର୍ଯ୍ୟକାରୀ ସଭାପତି ନିରଂଜନ ପରିଡ଼ା, ସାଧାରଣ ସମ୍ପାଦକ ପ୍ରଦୀପ ଦାସ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମେଡିକାଲ କଲେଜ ପ୍ରତିଷ୍ଠାରେ ଜିଲାବାସୀଙ୍କ ଗଣତାନ୍ତ୍ରିକ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ମେଡିକାଲ କଲେଜ ଆଗାମୀ ଦିନରେ ଲୋକଙ୍କ ଆଶା ପୂରଣ କରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ଅତିରିକ୍ତ ସାଧାରଣ ସମ୍ପାଦକ ଇଂ ହୃଷୀକେଶ ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


