ନାଉଗାଁ ଥାନାର ବିଚିତ୍ର ନିୟମ ଚୋରା ମଦ ବେପାରୀଙ୍କୁ ଦିନ ଧରି ରାତିରେ ଛାଡି ଦିଆଯାଉଛି !
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ ବିଚିତ୍ର ନିୟମ ଦେଖିବାକୁ ମିଳିଛିି । ଏଠାରେ ଚୋରା ମଦ ବେପାରୀଙ୍କୁ ଦିନରେ ଧରି ରାତିରେ ଛାଡି ଦେଇଥିବା ଜଣାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି । ସୂଚନା ମୁତାବକ ନାଉଗାଁ ଥାନା ଅନ୍ତର୍ଗତ ନୁଆଗାଁ ପଂଚାୟତସ୍ଥିତ ଗନେଇ ଗ୍ରାମର ପ୍ରଦିପ୍ତ ସାହୁଙ୍କ ନାମରେ ଚୋର ମଦ ବେପାରୀ ପାଇଁ ନାଉଗାଁ ଥାନା ଓ ଅବକାରୀ ବିଭାଗରେ ଅନେକ ମାମଲା ରହିଛି । ଏପରିକି ଶନିବାର ନାଉଗାଁ ପୋଲିସ ପକ୍ଷରୁ ପ୍ରଦିପ୍ତ ଚୋରା ମଦ ଆଣୁଥିବା ସୂଚନା ପାଇଁ ସଦଳବଳେ ଚଢାଉ କରି ପ୍ରଦିପ୍ତକୁ ଗିରଫ କରିବା ସହିତ ୯୬ ବୋତଲ ଚୋରା ମଦ ସହିତ ଏକ ହିରୋ ଗ୍ଲାମର ବାଇକ୍ କୁ ଜବତ କରିଥିଲା । ଥାନା ପକ୍ଷରୁ ୬/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ରବିବାର ସକାଳୁ ଥାନା ପରିସରରେ ଚୋରା ମଦ ବେପାରୀ ପ୍ରଦିପ୍ତ ନଥିବା ବେଳେ ଜବତ ହୋଇଥିବା ହିରୋ ଗ୍ଲାମର ବାଇକ ମଧ୍ୟ ନଥିଲା । ଥାନାଧିକାରୀଙ୍କ କହିବା ମୁତାବକ ପ୍ରଦିପ୍ତକୁ ଧାରା ୪୧ ନୋଟିସ ବଳରେ ଥାନାରୁ ଛାଡି ଦିଆଯାଇଛି । ଅପରପକ୍ଷରେ ଆଇନିଜୀବ୍ଙ୍କ କହିବା ଅନୁଯାୟୀ ଯେକୌଣସି ବ୍ୟକ୍ତିଙ୍କ ନାମରେ ଏକାଧିକ ମାମଲା ରହିଥିବ, ପୋଲିସ ସେମାନଙ୍କୁ ୪୧ ଧାରା ନୋଟିସ ବଳରେ ଛାଡିବାର ନିୟମ ନାହିଁ । ନାଉଗାଁ ପୋଲିସ କାହା ବଳରେ ପ୍ରଦିପ୍ତ ନାମରେ ଏକାଧିକ ମାମଲା ରହିଥିବା ଜାଣି ମଧ୍ୟ କୋର୍ଟ ଚାଲାଣ ନକରି କ’ଣ ପାଇଁ ୪୧ ଧାରା ନୋଟିସରେ ଛାଡି ଦେଇଛନ୍ତି । ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ ଥାନାରେ ୫ ଲିଟରରୁ ଉର୍ଦ୍ଧ ପରିମାଣର ମଦ ଜବତ ହେଲେ । ସଂପୃକ୍ତ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଜଣାଯାଇଛି । ହେଲେ ନାଉଗାଁ ପୋଲିସ ୨୧ ଲିଟରରୁ ଉର୍ଦ୍ଧ ପରିମାଣର ମଦ ଜବତ କରିବା ସହିତ ଏକାଧିକ ମାମଲାରେ ସଂପୃକ୍ତି ଥିବା ଅଭିଯୁକ୍ତଙ୍କୁ ଧରୀ କେଉଁ ଉଦ୍ଦେଶ୍ୟରେ ୪୧ ଧାରା ନୋଟିସରେ ଛାଡି ଦେଲା ତାହା ତଦନ୍ତ ସାପେକ୍ଷ । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


