ନାଉଗାଁ ବ୍ଳକରେ ସୂଚନା ଅଧିକାର ଆଇନ ଦିଗହରା : ଆବେଦନ କଲେ ମିଳୁନାହିଁ ତଥ୍ୟ
ନାଉଗାଁ, (ୱାଇଏନ୍ଏସ୍): ଜନ ସୂଚନା ଅଧିକାର ଆଇନ ବଳରେ ସରକାରୀ କାର୍ଯ୍ୟର ସବିଶେଷ ତଥ୍ୟ ଜାଣିବା ପାଇଁ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନ ବଳରେ ତଥ୍ୟ ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ କଲେ ନିର୍ଦ୍ଧାରିତ ସମୟ ମଧରେ ଏହାକୁ ଦେବାକୁ ନିୟମ ରହିଛି । କିନ୍ତୁ ନାଉଗାଁ ବ୍ଳକରେ ଏହି ଆଇନକୁ ଉଲଘଂନ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ନାଉଗାଁ ପଂଚାୟତସ୍ଥିତ କାନୁନଗୋସାହିର ସତ୍ୟସୁନ୍ଦର ଦାସ କୋଭିଡ-୧୯ ସଂପର୍କରେ କିଛି ତଥ୍ୟ ନିମନ୍ତେ ୨୩ ନଭେମ୍ବର ୨୦୨୦ରେ ନାଉଗାଁ ବ୍ଳକ ଜନ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ପଂଚାୟତ ସମିତି କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୫୪୬ ତା ୧୨ ଡିସେମ୍ବର ୨୦୨୦ରେ ଏହି ତଥ୍ୟ ପାଇଁ ୩ ହଜାର ଟଙ୍କା ଜମା ରାଶି ଦାଖଲ କରିବା ପାଇଁ ଉଲ୍ଲେଖ କରାଯାଇଥିଲା । । ଚିଠି ପାଇବା ପରେ ଶ୍ରୀ ଦାସ ୯ ଫେବୃଆରୀ ୨୦୨୧ରେ ସମସ୍ତ ଟଙ୍କା ଜମା କରିଥିଲେ । କିନ୍ତୁ ଟଙ୍କା ଜମା କରିବାର ଦୀର୍ଘ ଦେଢ ମାସ ପରେ ବି ଏପର୍ଯ୍ୟନ୍ତ ଆବେଦନ କରିଥିବା ତଥ୍ୟ ପ୍ରଦାନ କରାଯାଉନାହିଁ । ଏନେଇ ବାରମ୍ବାର ବ୍ଳକ କାର୍ଯ୍ୟାଳୟକୁ ଯାଉଥିଲେ ମଧ୍ୟ କେହି ତାଙ୍କ କଥା କର୍ଣ୍ଣପାତ କରୁ ନଥିବା ଶ୍ରୀ ଦାସ କହିଛନ୍ତି । କେବଳ କୋଭିଡ-୧୯ର ସମ୍ପର୍କିତ ତଥ୍ୟ ନୁହେଁ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ସଂର୍ପକରେ ତଥ୍ୟ ମଗାଇଛନ୍ତି । ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ହସ୍ତଗତ ହୋଇ ନଥିବା ବେଳେ ଏହାକୁ ପ୍ରଦାନ କରିବାର ଅବଧି ମଧ୍ୟ ଶେଷ ହୋଇଯାଇଛି ବୋଲି ଶ୍ରୀ ଦାସ ପ୍ରକାଶ ଜରିଛନ୍ତି । ଏସଂର୍ପକରେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


