୫ରେ କେନ୍ଦ୍ରାପଡା ଆସିବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରର ହାଉସକିପରଙ୍କ ସହ ଦୁଷ୍କର୍ମରୁ ଶିଶୁ ସନ୍ତାନ ଜନ୍ନ ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୫ତାରିଖରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କେନ୍ଦ୍ରାପଡା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଘଟଣା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ର(ସି.ସି.ଆଇ.)ର ହାଉସକିପର ଭାବେ କାର୍ଯ୍ୟରତ ଜନୈକ ମାନସିକ ଦୁର୍ବଳ ମହିଳାଙ୍କୁ ଲୁଥେରାନ ମହିଳା ସମିତିର ସଭାପତି ଘର ଝାଡୁକରିବା, ବାସନମାଜିବା ପ୍ରଭୃତି କାମକରିବାକୁ ତାଙ୍କ ଭାଇଙ୍କ ଘରକୁ ପଠାଇଥିବା ବେଳେ ତାଙ୍କ ଭାଇ ତଥା ଶିଶୁ ଯତ୍ନ କେନ୍ଦ୍ରର ସୁପରିନଟେଣ୍ଡେଟଙ୍କ ପିତା ସଂପୃକ୍ତ ମହିଳା କର୍ମଚାରୀଙ୍କ ସରଳତାର ସୁଯୋଗ ନେଇ ଯୋରଜବରଦସ୍ତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ବାହାରେ ସେ ସମ୍ପର୍କରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ସଂପୃକ୍ତ ପିଡିତା ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମଦେଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଜାଣିବା ପରେ ଶିଶୁଯତ୍ନ କେନ୍ଦ୍ରର ହାଉସ ମଦର ରେଣୁବାଳା ପଣ୍ଡା ଘଟଣା ସମ୍ପର୍କରେ ସଭାପତିଙ୍କୁ କହିବାରେ ସଭାପତି ତାଙ୍କୁ ଗାଳିଗୁଲଜ କରିବା ସହ ଏସମ୍ପର୍କରେ କାହାକୁ କହିଲେ ଚାକିରୀରୁ ବାହାର କରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ତେଣୁ ସେ ଘଟଣା ସମ୍ପର୍କରେ ମହିଳା ସମିତିର ସମ୍ପାଦିକାଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ । ସମ୍ପାଦିକା ସମିତିର ସଭାପତିଙ୍କୁ ଏସମ୍ପର୍କରେ ପଚାରିବାରେ ସମିତିର ସଭାପତି ଏବଂ ସୁପରିନଟେଣ୍ଡେଟ ଦୁଇଜଣ ଶିଶୁଟିକୁ ଓ ଉଭୟ ପିଡିତା ଏବଂ ଅଭିଯୋଗକାରୀ ହାଉସ ମଦରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଶିଶୁ ଯତ୍ନ କେନ୍ଦ୍ରର ହାଉସ ମଦର ମାର୍ଶାଘାଇ ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସୂଚନା ମିଳିଛି । ଶିଶୁ ଯତ୍ନ କେନ୍ଦ୍ରରେ ପିଡିତାଙ୍କ ଠାରୁ ଜନ୍ମିତ ଶିଶୁ ସନ୍ତାନ ସମ୍ପର୍କରେ କୈାଣସି ରେକର୍ଡ ରଖାଯାଇନଥିବା ବେଳେ ପ୍ରତିମାସରେ ଏକାଧିକ ଥର ବିଭିନ୍ନ ତଦନ୍ତ ଓ ପରିଦର୍ଶନ ଆଳରେ ସେହି ଶିଶୁ ଯତ୍ନ କେନ୍ଦ୍ରକୁ ଯାଉଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପିଓ ଆଇସି ସବୁଜାଣି କେଉଁ କାରଣରୁ ମୁହଁ ବନ୍ଦ ରଖିଥିଲେ ତାହା ସାଧାରଣରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମିତିର ସମ୍ପାଦିକା ମୀନାରାଣି ଭୂୟାଁ ଘଟଣା ସମ୍ପର୍କରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅବଗତ କରିବା ପରେ ଆୟୋଗ ଅଭିଯୋଗକୁ ଶିଶୁ ସୁରକ୍ଷା ଆଇନ ୨୦୦୫ର ଧାରା ୧୩(୧) (ଜେ) ଅନୁଯାଇ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କ ସମେତ ଘଟଣାକୁ ଚପେଇଦେବାକୁ ପ୍ରୋତ୍ସାହିତ କରିଥିବା ସମସ୍ତ ପ୍ରୋତ୍ସାହନକାରୀଙ୍କୁ ଶିଶୁ ଯତ୍ନ କେନ୍ଦ୍ରକୁ ପ୍ରବେଶ ଉପରେ ନିଷେଧାଦେଶ ଜାରିକରି କେନ୍ଦ୍ରାପଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ମାର୍ଚ୍ଚମାସ ୩୦ତାରିଖରେ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଏତଦବ୍ୟତିତ ଆସନ୍ତା ୧୨ତାରିଖ ମଧ୍ୟରେ ଆୟୋଗଙ୍କୁ ଏସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦେଶ ଦିଆଯାଇଛି । ଏଥିସହିତ ଆସନ୍ତା ୫ତାରିଖରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାବ୍ଲକ ଅନ୍ତର୍ଗତ ପାଟଳିପଙ୍କର ଲୁଥେରାନ ମହିଳା ସମିତିକୁ ତଦନ୍ତ ପାଇଁ ଆସୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ