ନିଆରା ଜଙ୍ଗଲ ଉତ୍ସବ ପାଳୁଛନ୍ତି ସାମାଜିକ କର୍ମୀ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଦେଶରେ ଜଙ୍ଗଲକ୍ଷୟ ଜନିତ ସମସ୍ୟା ସମ୍ପର୍କରେ ଆମେ ଅବଗତ । ବିଗତ ୩୦ ବର୍ଷ ମଧ୍ୟରେ ଆମେ ଆମ ଦେଶରୁ ୧୫ ହଜାର ବର୍ଗ କି.ମି. ଜଙ୍ଗଲ ହରାଇ ସାରିଛୁ । ଏହା କେବଳ ଆମ ବନ୍ୟଜନ୍ତୁ ମାନଙ୍କ ଘର ଉଜାଡ଼ିନି ବରଂ ବନବାସୀଙ୍କ ଜୀବିକା ଓ ଅର୍ଥନୀତି ସହିତ ଦୁନିଆର ଜଳବାୟୁ ପରିବର୍ତ୍ତନ ଜନିତ ବଡ଼ ସମସ୍ୟା ସୃଷ୍ଟି କରିଛି । ଏ ସମସ୍ୟାର ସମାଧାନ ପାଇଁ ଗାଁରୁ ବିଶ୍ୱସ୍ତର ଯାଏ ବ୍ୟାପକ ସଚେତନତା ଓ ବନୀକରଣ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଭୁବନେଶ୍ୱରର ଜଣାଶୁଣା ସାମାଜିକ କର୍ମୀ ସୁଶାନ୍ତ ସାହୁ ବିହନ ପିଣ୍ଡୁଳା ଜରିଆରେ ଉଜୁଡ଼ା ଜଙ୍ଗଲରେ ସବୁଜିମା ଫେରାଇବା ପାଇଁ ପ୍ରୟାସ କରୁଛନ୍ତି । ବୁଧବାର, ଜୁଲାଇ ୧ରେ ସାରା ଦେଶ ବନମହୋତ୍ସବ ସପ୍ତାହ ପାଳନ କରୁଥିବା ବେଳେ ପୋଖରୀପୁଟ୍ ଇନ୍ଦ୍ରପ୍ରସ୍ଥ କଲୋନୀ, ଫେଜ୍-୨ଠାରେ ସୁଶାନ୍ତ ବିହନ ପିଣ୍ଡୁଳା ବା ସିଡ୍ବଲ୍ ଗୁଡ଼ିକୁ ଗଛ ଆକାରରେ ସଜାଇ ସହରବାସୀଙ୍କ ମନରେ ବୃକ୍ଷରୋପଣ ମହାମନ୍ତ୍ରର ସଂକଳ୍ପକୁ ଉଜାଗର କରିଛନ୍ତି । ସୂଚନାଯୋଗ୍ୟଯେ, ସୁଶାନ୍ତଙ୍କ ଏଭଳି ସିଡ୍ବଲ୍ ବା ବିହନ ପିଣ୍ଡୁଳା କେବଳ ପ୍ରଦର୍ଶନୀ ପାଇଁ ନୁହେଁ ବରଂ ଭରତପୁର, ଚନ୍ଦକା ଓ ଘଙ୍ଗାପାଟଣାର ଉଜୁଡ଼ା ଜଙ୍ଗଲକୁ ବନୀକରଣରେ ସହାୟକ ହୋଇପାରିଥିବା ଜଣାପଡ଼ିଛି । ସୁଶାନ୍ତ ଏବଂ ତାଙ୍କର ଟିମ୍ ମାଟି ଓ ଖତରେ ବିଭିନ୍ନ ମଞ୍ଜି ମିଶାଇ ତାକୁ ପିଣ୍ଡୁଳା କରି ତାକୁ ଉଜୁଡ଼ା ଜଙ୍ଗଲରେ ନିକ୍ଷେପ କରିଆସନ୍ତି । ଏଥିରୁ ୮୦ ପ୍ରତିଶତ ଅଙ୍କୁରିତ ହୁଏ, ତାହା ପୁଣି କମ୍ ଖର୍ଚ୍ଚରେ । ବନମହୋତ୍ସବରେ ଏହି ବାର୍ତ୍ତାକୁ ବ୍ୟାପକ ଭାବରେ ପ୍ରସାର ପାଇଁ ସୁଶାନ୍ତଙ୍କ ଏହି ଉଦ୍ୟମକୁ ବିିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।


