ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ ୧୫ଦିନ ପାଇଁ ସ୍ଥଗିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଶ୍ରମିକ ୟୁନିଅନ ମିଳିତ ସମନ୍ୱୟ ସମିତି ପକ୍ଷରୁ ଜାନୁୟାରୀ୧୨ତାରିଖରେ ହେବାକୁ ଥିବା ମହାଆନ୍ଦୋଳନକୁ ୧୫ ଦିନ ପାଇଁ ସ୍ଥଗିତ ରଖାଯାଇଛି । ୧୫ଦିନ ମଧ୍ୟରେ ଦାବି ପୁରଣ ନହେଲେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୟୁନିଅନମାନଙ୍କ ପକ୍ଷରୁ ବିଶାଳ ଶ୍ରମିକ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହି ଦାବିଗୁଡିକ ହେଉଛି ସମଗ୍ର ରାଜ୍ୟରେ ୨୦୧୭-୨୦୧୮ ଆର୍ଥିକ ବର୍ଷରେ ସାଇକେଲ ଓ ଟୁଲ୍‌ସ ପାଇଁ ପ୍ରତ୍ୟେକ ଶ୍ରମିକଙ୍କୁ ୪ ହଜାର ଟଙ୍କା ମିଳିଥିବା ବେଳେ କେବଳ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ୨୦ ହଜାର ଦରଖାସ୍ତର ଅର୍ଥ ସହାୟତା ତୁରନ୍ତ ପ୍ରଦାନ କରାଯିବା, ପ୍ରାୟ ୩ଶହ ମୃତ୍ୟୁ ସହାୟତା ଆବେଦନ ପତ୍ର ୭ ଦିନ ମଧ୍ୟରେ ମଞ୍ଜୁର କରାଯିବା, ୪ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ପ୍ରାୟ ୫ ହଜାର ମହିଳା ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ, ୧୯୫୬ ବ୍ୟାକଲଗ୍ ଅବେଦନକାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, କରୋନା ସମୟରେ ଲକ୍ଷ ଲକ୍ଷ ଟଙ୍କା ହେରଫେର, ୯୦ ହଜାର ଅଣ ସଂଗଠିତ ଶ୍ରମିକଙ୍କ ପରିଚୟ ପତ୍ରନେଇ ୧୫୦୦ ଟଙ୍କା ଲେଖାଏଁ ହିସାବରେ କୋଟି କୋଟି ଲୁଟ୍ ଭଳି ସମସ୍ତ ବେଆଇନ କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ ସହିତ ସଂପୃକ୍ତ ଶ୍ରମ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବା, ୧୫୦୦ ଶ୍ରମିକଙ୍କ ଝିଅ ବାହାଘର ସହାୟତା, ୩୫୦୦ ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷା ସହାୟତା,୨୦୦ ଜଣଙ୍କୁ ପ୍ରସୂତୀ ସହାୟତା ୭ ଦିନ ମଧ୍ୟରେ ପ୍ରଦାନ କରିବା, ନିଯୁକ୍ତି- ତାଲିମ ନେଇଥିବା ଶ୍ରମିକଙ୍କୁ ପ୍ରମାଣ ପତ୍ର ସହ ୧୫ ଦିନର ମଜୁରୀ ବାବଦ ୩୦୦୦ ଟଙ୍କା ରାଜ୍ୟ କଲ୍ୟାଶ ବୋର୍ଡରୁ ଉଠାଇଆଣି ୩ ବର୍ଷ ହେଲା ନଦେବା, ଦୁରାରୋଗ୍ୟରେ ପିଡିତ ଶ୍ରମିକଙ୍କୁ ଆର୍ଥିକ ସହାୟତା ବ୍ୟବସ୍ଥା ଜିଲ୍ଲାରେ ଲାଗୁ କରାଯିବା, ପକ୍କାଗୃହ ନଥିବା ଶ୍ରମିକଙ୍କୁ ଗୃହ ଯୋଗାଇ ଦେବା, ଫେକ୍ ଶ୍ରମିକ ୟୁନିଅନ ଜରିଆରେ ଶ୍ରମ କାର୍ଯାଳୟରେ କାର୍ଯ୍ୟକର୍ତ୍ତାମାନଙ୍କ ବ୍ୟାପକ ଅର୍ଥ ହରିଲୁଟର ବିଧିବଦ୍ଧ ତଦନ୍ତ, ଶ୍ରମ କାର୍ଯ୍ୟାଳୟ ପରିସରରେ ଶ୍ରମିକ ମାନଙ୍କ ନିମନ୍ତେ ଆଶ୍ରୟସ୍ଥଳ ନିର୍ମାଣ ଏବଂ ୫୦ ହଜାର ଯୋଗ୍ୟ ବିବେଚିତ ଶ୍ରମିକଙ୍କୁ ମିଳିନଥିବା କରୋନା ସହାୟତା ତୁରନ୍ତ ପ୍ରଦାନ କରିବା ପ୍ରଭୃତି ଦାବି ଗୁଡିକ ରହିଛି । ଏହି ଦାବିଗୁଡିକ ଉପରେ ଆଜି ହେବାକୁ ଥିବା ଶ୍ରମିକ ମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ଜିଲା୍ଲ ପ୍ରଶାସନ ଓ ପୋଲିସ୍ ଅନୁମତି ନଦେବାରୁ ଆନ୍ଦୋଳନକୁ ସ୍ଥଗିତ ପରବର୍ତ୍ତି ସମୟ ପର୍ଯ୍ୟନ୍ତ ସ୍ଥଗତି ରଖାଗଲା । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବିପୁରଣ ନ ହେଲେ ବିଶାଳ ଶ୍ରମିକ ଆନ୍ଦୋଳନ ଅନୁଷ୍ଠିତ ହେବ ଓ ଏଥିରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ପୋଲିସ୍ ପ୍ରଶାସନ ଦାୟୀ ରହିବେ ବୋଲି ଆଇ.ଏନ.ଟି.ୟୁ.ସି.ର ମୁକ୍ତାର ଖାଁ, ଏ.ଆଇ.ଟି.ୟୁ.ସି.ର ବାବାଜୀ ଧଳ, ସିଟୁର ଜଗତଜୀବନ ଦାଶ ପ୍ରମୁଖ ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ