ଭିନ୍ନକ୍ଷମ ଅଧିକାର ଉପରେ ସଚେତନତା କର୍ମଶାଳା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ-୨୦୧୬ ସମ୍ପର୍କରେ ମାଧପୁର ସ୍ଥିତ ଅମର ଉଦ୍ୟାନ ପରିସରରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡଃ .ବିରଜା ପ୍ରସାଦ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ-୨୦୧୬ ସମ୍ପର୍କରେ ବିସ୍ତ୍ୃତ ଭାବେ ଆଲୋଚନା କରିଥିଲେ । ଶ୍ରୀ ଦାସ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯେଉଁ ୫ଟି ଲକ୍ଷ୍ୟନେଇ ଗଠିତ ହୋଇଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପୁନର୍ବାସର ସଂଯୋଜକ ସଞ୍ଜୀବ କୁମାର ଜେନା ଓ ଅକୁପେସନାଲ ଥେରାପିଷ୍ଟ ଶୁଭଶ୍ରୀ ଜେନା ରିସୋର୍ସ ପର୍ସନ ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ- ୨୦୧୬ରେ ଥିବା ୨୧ପ୍ରକାରର ଭିନ୍ନକ୍ଷମମାନଙ୍କ ଚିହ୍ନଟ ଓ ବିଭିନ୍ନ ଧାରା ଏବଂ ଉପଧାରାରେ ଥିବା ସେମାନଙ୍କର ଅଧିକାର, ସୁବିଧା ଓ ସୁରକ୍ଷା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ଆଜିର ସମୟରେ ଏହି ଆଇନ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇବାର ଆବଶ୍ୟକତା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଏହା ପ୍ରତି ବ୍ଲକ ସ୍ତରରେ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ କରାଯିବାକୁ ସମ୍ବଳ ଶିକ୍ଷକ ହେମନ୍ତ ଜେନା ଏକ ପ୍ରସ୍ତାବ ଦେଇଥିଲେ । ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ ବ୍ଲକ ସମ୍ବଳ ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ଶିବିର ପରିଚାଳନାରେ ପୁନର୍ବାସର ସଭ୍ୟ ବଂଶିଧର ମହାନ୍ତି, ରଞ୍ଜନ କୁମାର ସ୍ୱାଇଁ, ଧନଞ୍ଜୟ ସାହୁ, ଜ୍ୟୋତି ରଞ୍ଜନ ନାୟକ, ମିହିର ରଞ୍ଜନ ନାୟକ, ଧରଣିଧର ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନ ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


