ନୀରବ କ୍ୟାଣ୍ଡଲ ରାଲି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱରସମ୍ରାଗିଣୀ ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ନିଧନରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ସୋମବାର ସନ୍ଧ୍ୟା ସମୟରେ ଏକ ନୀରବ କ୍ୟାଣ୍ଡଲ ରାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ କ୍ୟାଣ୍ଡଲ ରାଲି ନଗର ପରିକ୍ରମାରେ ବାହାରି ସ୍ଥାନୀୟ ରାଜପ୍ରାସାଦ ସମ୍ମୁଖରେ ରହଣୀ କରି ଲତାଙ୍କ ସ୍ମୃତିଚାରଣ କରି ଦିବଂଗତ ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରୀ ଅର୍ପିତା ପାଢୀ ଓ ଚିନ୍ମୟୀ ଚାନ୍ଦ ଲତା ମଙ୍ଗେସ୍କର ଗାନ କରିଥିବା ଚିରସ୍ମରଣୀ ଗୀତ “ଏ ମେରେ ୱାତନକେ ଲୋଗ….” ପ୍ରଭୃତି ମନମୁଗ୍ଧ ଗୀତ ଗାଇ ସ୍ମରଣ କରିଥିଲେ । ଏହାସହ କ୍ୟାଣ୍ଡଲ ପ୍ରଜ୍ଜଳନ କରି ଶ୍ରଦ୍ଧା ସୁମନ ତଥା ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇ ଦିବଂଗତ ଭାରତ ରତ୍ନ ଲତାମଙ୍ଗେସ୍କର ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଗାୟିକା ଥିଲେ । ସାରା ପୃଥିବୀରେ ଭାରତର ସୁନାମ ଅର୍ଜନ କରିବାରେ ମହାତ୍ମାଗାନ୍ଧୀଙ୍କ ପରେ ଲତା ମଙ୍ଗେସ୍କର ଦ୍ୱିତୀୟ ଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଗୀତ ଗୁଡିକ ଉଭୟେ ବୁଝିବା ଲୋକେ ଓ ଯାହାକୁ ବୁଝାପଡେନି ସେମାନେ ମଧ୍ୟ ଲତାଙ୍କ ଗୀତ ଶୁଣୁଥିଲେ । ତେଣୁ ତାଙ୍କୁ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ରୂପରେ ସ୍ୱରସମ୍ରାଗିଣୀ ଭାବେ ଜୀବନ୍ତ ରୂପେ ଜନ୍ମିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମତ ବ୍ୟକ୍ତ କରିବା ସହ ଏଭଳି ଜଣେ ଗାୟିକାଙ୍କ ସ୍ଥାନ ଆଧୁନିକ ଯୁଗରେ ଆଉକେହି ନେଇପାରିବେ ନାହିଁ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ଥିଲେ ।


