ନେତାଜୀଙ୍କ ଜୟନ୍ତୀକୁ ଛୁଟି ଘୋଷଣା କଲେ ଝାଡ଼ଖଣ୍ଡ ସରକାର
ରାଞ୍ଚି : ନେତାଜୀ ସୁଭାଷ ବୋଷଙ୍କ ଜନ୍ମଦିନକୁ ଝାଡଖଣ୍ଡର ନୂଆ ସରକାର ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜାନୁଆରୀ ୨୩ ତାରିଖ ନେତାଜୀଙ୍କ ଜନ୍ମ ଦିନ ହୋଇଥିବାରୁ ସେଦିନ ସାଧାରଣ ଛୁଟି କରାଯାଇଛି ବୋଲି ଟୁଇଟ କରି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଅଫିସ ତରଫରୁ ମଧ୍ୟ ଏହି ଛୁଟି ସମ୍ପର୍କରେ ଅବଗତ କରାଯାଇଛି। ଆସନ୍ତା ଜାନୁଆରୀ ୨୩ ତାରିଖରେ ନେତାଜୀ ସୁଭାଷ ବୋଷଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ଥିବାରୁ ଏହି ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଛୁଟି ଘୋଷଣା ସହିତ ସୁଭାଷ ବୋଷଙ୍କ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଝାଡଖଣ୍ଡ ନେତାଜୀ ସୁବାଷ ବୋଷଙ୍କ ମଧ୍ୟ ଅନ୍ୟତମ କର୍ମ ଭୂମି ଥିଲା। ଭାରତ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଯେଉଁ ଅବଦାନ, ତାହା କେହି ବି ଭୁଲିପାରିବେ ନାହିଁ ବୋଲି ସୋରେନ କହିଛନ୍ତି। ତାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି ବୋଲି ସୋରେନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି। ବହୁ ବର୍ଷ ପୂର୍ବରୁ ଓଡିଶା ସରକାର ମଧ୍ୟ ସୁଭାଷ ବୋଷଙ୍କ ଜନ୍ମଦିନକୁ ଛୁଟି ଘୋଷଣା କରିବା ସହିତ ଜନ୍ମ ଜୟନ୍ତୀ ସରକାରୀସ୍ତରରେ ପାଳନ କରି ଆସୁଛନ୍ତି।


