ପରିତ୍ୟକ୍ତ ସ୍ଥାନରେ ମହିଳା ମହାସଂଘ କାର୍ଯ୍ୟାଳୟ ଖୋଲିବା ନେଇ ବିବାଦ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅଧିନ ଆଞ୍ଚଳିକ ମଞ୍ଚ ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟାଳୟକୁ ନେଇ ବିବାଦ ଦେଖାଦେଇଛି । ଗ୍ରାମ ପଞ୍ଚାୟତ ମହାସଂଘ କାର୍ଯ୍ୟାଳୟ ଖୋଲିବା ପାଇଁ ପଞ୍ଚାୟତ ନିକଟରେ ମିଶନଶକ୍ତି ଗୃହକୁ ଧାର୍ଯ୍ୟ କରାଯାଇଥିଲା । ଯଦିଓ ସ୍ଥାୟୀ କାର୍ଯ୍ୟାଳୟ ଗୁହାଳିଆ ଠାରେ ନିର୍ମାଣ ହେଉଛି ତାହା ପଞ୍ଚାୟତ ନିକଟରୁ ୮କି.ମି. ଦୂରେ ଅବସ୍ଥିତ ଥିବାରୁ ସେଠାକୁ ସମସ୍ତ ମହିଳା ଯିବା ସମ୍ଭବ ହେଉନାହିଁ । ତେଣୁ ସଭାନେତ୍ରୀ ତାଙ୍କ ସୁବିଧା ନିମନ୍ତେ ଧାମନଗର ଛକ ଠାରେ ଏକ ପରିତ୍ୟକ୍ତ ଗୋଦାମ ଗୃହକୁ ମହିଳା ମହାସଂଘ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବାକୁ ମତଦେଇଛନ୍ତି । ଉକ୍ତ ଗୃହଟି ଅତ୍ୟନ୍ତ ଛୋଟ ହୋଇଥିବାବେଳେ ପାରିପାଶ୍ୱର୍ିକ ଅବସ୍ଥା ପାଣିକାଦୁଅ ସହିତ ଅତିଦୁର୍ଗନ୍ଧମୟ ପରିବେଶ ଭାବେ ରହିଛି । ତେଣୁ ସେଠାରେ କାର୍ଯ୍ୟାଳୟ ନଚଲାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୂର୍ବ ମହାସଂଘ ବୈଠକ ଗୃହକୁ ବ୍ୟବହାର ପାଇଁ ସଦସ୍ୟମାନେ ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ମୋଟ ନଅଗୋଟି ମଞ୍ଚର ସଭ୍ୟାଙ୍କ ମଧ୍ୟରୁ ଛଅଗୋଟି ମଞ୍ଚର ସଭ୍ୟା ଲିଲି ଆଚାର୍ଯ୍ୟା, ଶୈଳବାଳା ଦେ, ଗୀତାଞ୍ଜଳୀ ଦେ, ସରସ୍ୱତୀ ପାଲ, ଗୋଲାପୀ କୁଣ୍ଡୁ, ସୁଜାତା ଜେନା, କୁମୁଦୁନି ଦାସ, ସବିତା ଦେ, ରଜନୀ ଦାସ, କମଳିନୀ ଦାସ, ରଶ୍ମିତା ଦାସ, ନିଳୀମା ଆଚାର୍ଯ୍ୟ, ଝରଣା ଜେନା ପ୍ରମୁଖ ବିଡିଓଙ୍କ ନିକଟରେ ଲିଖିତ ଭାବେ ସମସ୍ତ ଘଟଣା ସମ୍ପର୍କରେ ଜଣାଇଛନ୍ତି । ପଞ୍ଚାୟତ ଗୃହ ନିକଟରେ ସମସ୍ତ ସୁବିଧା ସୁଯୋଗ ଥିବାରୁ ସେଠାରେ ମହାସଂଘ କାର୍ଯ୍ୟାଳୟ ଚଲାଇବା ପାଇଁ ମହିଳାସଂଘ ସଭ୍ୟାମାନେ ଦୃଢ ଦାବି ଜଣାଇଛନ୍ତି । ଏନେଇ ବିଡିଓଙ୍କ ମତାମତ ନେବାରୁ ସେ ଦାବିପତ୍ର ପାଇଥିବା କଥା ସ୍ୱୀକାର କରିଥିବାବେଳେ ସମସ୍ତ ଦିଗକୁ ଅନୁଧ୍ୟାନ ପରେ ବିଭାଗୀୟ ଅଧିକାରୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।


