ପରିବାଦର ଆକାଶ ଛୁଆଁ ଖାଉଟି ହନ୍ତସନ୍ତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସଂପ୍ରତି କରୋନା ମହାମାରୀ ସମୟରେ ଦୀର୍ଘଦିନ ହେବ ପରିବାଦର ଆକାଶ ଛୁଆଁ ରହୁଥିବାରୁ ଭଣ୍ଡାରିପୋଖରୀ ବ୍ଲକ ଅଧିନ ମଞ୍ଜୁରୀରୋଡ, ଆଖୁଆପଦା, ବାରିକପୁର, ମାଳଦା, ସରସଦା ପ୍ରମୁଖ ଅଞ୍ଚଳର ସାଧାରଣ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି । ପକେଟରେ ଦୁଇଶହ କିମ୍ବା ତିନିଶହ ଟଙ୍କା ନେଇ ପରିବା କିଣିବା ପାଇଁ ଗଲେ ବ୍ୟାଗ ଫୁଲ ହେଉନାହିଁ । ଯଦିଓ ବର୍ତ୍ତମାନ ସମସ୍ତ ନଦୀକୂଳିଆ ଅଞ୍ଚଳରେ କିଛି ପରିମାଣରେ ପନିପରିବା ବାହାରୁଛି କିନ୍ତୁ ସେଗୁଡିକ ସିଧାସଳଖ ଗ୍ରାମ୍ୟ ବଜାର ଠାରେ ଥିବା ଖୁଚୁରା ବ୍ୟବସାୟୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯେଉଁଥିପାଇଁ ପନିପରିବା ଦର ଆକାଶ ଛୁଆଁ ହେଉଥିବା ଦେଖାଯାଇଛି । ବର୍ତ୍ତମାନ ବିଲାତି ଓ କୋବିକୁ ଛାଡିଦେଲେ ପ୍ରାୟତଃ ସମସ୍ତ ପରିବା ବିଭିନ୍ନ ଗ୍ରାମାଞ୍ଚଳର ବାଡିବଗିଚାରେ ଦେଖିବାକୁ ମିଳୁଛି । ତାହାକୁ ଚାଷୀମାନେ ନେଇ ସିଧାସଳଖ ସହରର ପରିବା ଗଚ୍ଛିତ ସଂସ୍ଥାରେ ବିକ୍ରୟ କରୁଛନ୍ତି । ସେଠାରୁ ଖୁଚୁରା ବ୍ୟବସାୟୀମାନେ ପରିବା କିଣି ଗ୍ରାମାଞ୍ଚଳରେ ଆଣି ବିକୁଥିବାବେଳେ ସ୍ୱଭାବିକ ଭାବେ ପରିବା ମୂଲ୍ୟ ବଢିଯାଉଥିବା ଜଣାପଡିଛି । କେବଳ ବୋଇତକଖାରୁ ଓ ଅମୃତଭଣ୍ଡା କେଜି ପ୍ରତି ୨୦ଟଙ୍କାରେ ମିଳୁଥିବାବେଳେ ସଜନା ଛୁଇଁ ୮୦, କାଙ୍କଡ ୫୦, ବିମ୍ ୭୦, କଲରା ୬୦, ଭେଣ୍ଡି ୬୦, ମାଟିଆଳୁ ୪୦, ଫୁଲକୋବି ୬୦, ବନ୍ଧାକୋବି ୫୦, ଝୁଡଙ୍ଗ ୫୦, ବିଲାତି ୪୦, ପୋଟଳ ୫୦ ଓ ବାଇଗଣ କେଜିପ୍ରତି ୪୦ଟଙ୍କାରେ ବିକ୍ରୟ କରାଯାଉଛି । ଏସବୁ ପରିବାର ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଗ୍ରାମାଞ୍ଚଳ ଖାଉଟିଏ ହନ୍ତସନ୍ତ ହେଉଥିବାବେଳେ ଖୁଚୁରା ବ୍ୟବସାୟୀ ଟିଏ ମଧ୍ୟ ଳାଭବାନ ହୋଇପାରୁନାହିଁ । ଆଗକୁ ଦୁଇଦିନ ପରେ କାର୍ତ୍ତିକ ମାସ ଆରମ୍ଭ ହେଉଥିବାରୁ ହବିଷ ପାଇଁ ପରିବା ଦର ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।


