ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବିଳମ୍ବକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କୁ ନେଇ ଉତ୍ତେଜନା ଦେଖା ଦେଇଛି । ଡାକ୍ତରଖାନା ପକ୍ଷରୁ ଆଜି ପରିବାର ଅସ୍ତ୍ରୋପଚାର ପାଇଁ ଆଶା କର୍ମୀ ମାନଙ୍କ ଦ୍ୱାରା ଡକାଇଥିଲେ । ମାତ୍ର ସକାଳୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ମହିଳାମାନେ ଅପେକ୍ଷା କରିବସିଥିବାବେଳେ ସେମାନଙ୍କୁ ଅସ୍ତ୍ରୋପଚାର କରାଯାଇ ନଥିଲା । ଯାହାକୁ ନେଇ ଆସିଥିବା ମହିଳା ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖା ଦେଇଛି । ମହିଳା ଓ ସେମାନଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ବାରଣ୍ଡାରେ ବସି ଏହାର ପ୍ରତିବାଦ କରିଛନ୍ତି । ଏ ସମ୍ପର୍କରେ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ୩୦ଜଣଙ୍କୁ ଡାକିଥିଲୁ, କିନ୍ତୁ ଅଧିକ ମହିଳା ଆସିଯିବାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଅସ୍ତ୍ରୋପଚାର ସମ୍ଭବ ନୁହଁ, ଆମେ ଲୋକମାନଙ୍କୁ ବୁଝାଇ ପଠାଇ ଦେଇଛୁ, ଆସନ୍ତା କାଲି ସେମାନଙ୍କ ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ।


