ପାଚେରୀ ଡେଇଁଲେ ପର୍ଯ୍ୟଟକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ଗତ କିଛି ଦିନ ହେଲା କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ମଂଗଳବାର ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିରରେ ଅସମ୍ବାଳ ଭିଡ ଦେଖିବାକୁ ମିଳିଥିଲା । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଟିକେଟ କାଉଟଂରରୁ ଟୋକନ ନପାଇ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା କରି ମନ୍ଦିର ଭିତରକୁ ଧସେଇ ପସିଥିଲେ । କେତେକ ପର୍ଯ୍ୟଟକ ବିପଦପୂର୍ଣ ଭାବେ ପାଚେରୀ ଉପରୁ ତଳକୁ ଡିଆଁ ମାରି ପସିଥିଲେ । କିଛି ସମୟ ଧରି ଅସ୍ୱାଭବିକ ପରିସ୍ତିତି ଉପୁଜିଥିଲା । ଉପାୟଶୂନ୍ୟ ହୋଇ ସୁରକ୍ଷା କର୍ମୀମାନେ ମନ୍ଦିର ବନ୍ଦ ରଖିଦେଇଥିଲେ । ଟୋକନ ନପାଇ ନିରାଶ ମନରେ ଫେରିଯାଇଥିଲେ ହଜାର ହଜାର ପର୍ଯ୍ୟଟକ । ଏଥିପାଇଁ ପର୍ଯ୍ୟଟକମାନେ ଏଏସଆଇ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟ ବିକଳ୍ପ ବ୍ୟବସ୍ତା ସେମାନେ ଦାବି କରିଛନ୍ତି । ସୂର୍ଯ୍ୟମନ୍ଦିର ସମ୍ମୁଖରେ ପ୍ରବେଶ ଟୋକନ ନେବା ପାଇଁ ପର୍ଯ୍ୟଟକମାନେ କାଉଟଂର ସମ୍ମୁଖରେ ଲମ୍ବା ଲାଇନରେ ଛିଡା ହୋଇଥିଲେ । ପର୍ଯ୍ୟାପ୍ତ ପରିମାଣରେ ଟୋକନ ନଥିବାରୁ ପର୍ଯ୍ୟଟକଙ୍କୁ ଘଂଟା ଘଂଟା ଧରି ଛିଡା ହେବାକୁ ପଡିଥିଲା । ପଶ୍ଚିମବଂଗର ଅଧିକାଂଶ ପର୍ଯ୍ୟଟକ ଟୋକନ ନମିଳିବାରୁ ମନ୍ଦିର ବୁଲି ପାରିନଥିବା କ୍ଷୋଭର ସହ କହିଥିଲେ । ବସ ସମୟ ହୋଇଯାଇଥିବାରୁ ସେ ଫେରିଯାଉଥିବା ଦୁଃଖର ସହିତ ପ୍ରକାଶ କରିଥିଲେ । ଏହି ସମ୍ପର୍କରେ ଏଏସଆଇ ସଂରକ୍ଷଣ ଅଧିକାରୀ ନୀରଜ ସିଂଙ୍କୁ ପଚାରିବାରୁ ଆମ ପାଖରେ ଏବେ ୧୦ହଜାର ଟୋକନ ରହିଛି । ହଠାତ ସର୍ଭର ଡାଉନ ହେବାରୁ ଏଭଳି ପରିସ୍ତିତି ଦେଖାଦେଲା ବୋଲି ସେ କହିଥିଲେ । ଟୋକନ ବ୍ୟବସ୍ତା ଫେଲ ହେଲେ ଅନ୍ୟ ବିକଳ୍ପ ବ୍ୟବସ୍ତା କରାଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି ।


