ପାଟକୁରା ପ୍ରଗତି ମଞ୍ଚ ପକ୍ଷରୁ ଅଚଳ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ପାଇଁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ଅଧିନ ଗରଦପୁର ବ୍ଲକର ସମସ୍ତ ଉଠାଜଳସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରାଯିବାକୁ କେନ୍ଦ୍ରାପଡା ଉଠାଜଳସେଚନ ଡିଭିଜନ ର ନିର୍ବାହୀ ଯନ୍ତ୍ରୀଙ୍କୁ ପାଟକୁରା ପ୍ରଗତି ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗରଦପୁର ବ୍ଲକର ୧୮ଟି ଗ୍ରାମପଞ୍ଚାୟତର କୃଷିକ୍ଷେତ୍ରକୁ ଜଳସେଚନ ନିମନ୍ତେ ସରକାରଙ୍କ ପକ୍ଷରୁ ୧୭୫ଟି ଉଠାଜଳସେଚନ ପଏଣ୍ଟ ଥିବାବେଳେ ସେଥିମଧ୍ୟରୁ ମାତ୍ର ୨୦ଟି ପଏଣ୍ଟ କାର୍ଯ୍ୟକ୍ଷମ ଅଛି । ଅନ୍ୟ ୧୫୫ଟି ପଏଣ୍ଟ ବିଭାଗୀୟ ଅବହେଳା ପାଇଁ କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ ହୋଇଛି । ଏପରିକି ବ୍ଲକର ଗରଦପୁର ଓ ତେଣ୍ଡାକୁଡା ଠାରେ ଥିବା ୨ଟି କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବାବେଳେ ସେଠାରେ ଜଣେ ହେଲେବି କନିଷ୍ଠ ଯନ୍ତ୍ରୀ ନଥିବା ଅଭିଯୋଗ ହୋଇଛି । ସେହି କାର୍ଯ୍ୟାଳୟ ଦୁଇଟିରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନଥିବା ବେଳେ କାର୍ଯ୍ୟାଳୟ କିପରି ଚାଲିଛି ତାହା ଅନୁମେୟ । ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବ୍ଲକର ୧୩୯ଟି ଗ୍ରାମରେ କୃଷି କାର୍ଯ୍ୟରେ ଘୋର ସମସ୍ୟା ଦେଖାଦେଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନତଳି ଗଜା ମରିବାଜୁ ବସିଲାଣି । ବର୍ଷାଭାବରୁ ଚାଷଜମି କାଦୁଅ ହୋଇନପାରିବାରୁ ରୁଆ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଯେଉଁମାନେ ଗାଡିଆ ପୋଖରୀରୁ ପାଣି ଆଣି କିଛି କିଛି ଜମି କାଦୁଅ କରି ତଳି ରୋଇଥିଲେ ବର୍ଷାଭାବରୁ ତାହା ମରିବାକୁ ବସିଲାଣି । ଏହି ପରିପ୍ରେକ୍ଷୀରେ ଚାଷୀର ଜମିକୁ ଶୀଘ୍ର ପାଣି ଯୋଗାଇଦେବା ପାଇଁ ପାଟକୁରା ପ୍ରଗତି ମଞ୍ଚ ର ସଭାପତି ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ କେନ୍ଦ୍ରାପଡା ଉଠାଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଉଦେଶ୍ୟରେ ସହକାରୀ ଯନ୍ତ୍ରୀ ନିମାଇଁ ଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର କର୍ମକର୍ତ୍ତା କ୍ଷିରୋଦ ନାୟକ, ରବିନ୍ଦ୍ର ଦାସ, ନବାବ ପଣ୍ଡା, ଯୁଧିଷ୍ଠିର ସ୍ୱାଇଁଙ୍କ ସମେତ ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ ।


